ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ସାରା ଦେଶରେ ନୁପୁର ଶର୍ମାଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ପୂର୍ବତନ କ୍ରିକେଟର ତଥା ଟିମ ଇଣ୍ଡିଆର ପୂର୍ବତନ ବୋଲିଂ କୋଚ୍ ଭେଙ୍କଟେସ ପ୍ରସାଦ ନିଜର ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବେଶ ଚର୍ଚ୍ଚାରେ ରହି ଆସୁଛନ୍ତି । ସେ ଗତ ତିନି ଦିନରେ ପୈଗେମ୍ୱର ବିବାଦଠୁ ଆରମ୍ଭ କରି ବିଶ୍ୱ କପରେ ସୋହେଲଙ୍କୁ ବୋଲ୍ଡ କରିବା ଉପରେ ଟ୍ୱିଟ କରିଛନ୍ତି । ଭାରତର ପୂର୍ବତନ କ୍ରିକେଟର ପୈଗେମ୍ୱର ବିବାଦ ଏବଂ ଏହା ପରର ପ୍ରଦର୍ଶନ ଉପରେ ଦୁଃଖ ବ୍ୟକ୍ତ କରିଛନ୍ତି । ଏହାସହ ଭେଙ୍କଟେସ ପ୍ରସାଦ କହିଛନ୍ତି, ସେ ଆଜି ଯାଏଁ ଏପରି କୌଣସି ଦେଶ ଦେଖି ନାହାନ୍ତି ଯେଉଁଠି ବହୁସଂଖ୍ୟକ ଲୋକେ ଏତେ ଭୟ ଅନୁଭବ କରୁଥିବେ।

ଭେଙ୍କଟେସ ପ୍ରସାଦ ପ୍ରଥମେ ନୂପୁର ଶର୍ମାଙ୍କ ପୁତଳିକା ଝୁଲାଇବା ଫଟୋରୁ ନିଜ ଟ୍ୱିଟ ଆରମ୍ଭ କରିଥିଲେ। ଭେଙ୍କଟେସ ପ୍ରସାଦ ଏହି ଫଟୋକୁ ଟ୍ୱିଟରେ ସେୟାର କରି କହିଥିଲେ, ‘ଏହା ନୂପୁର ଶର୍ମାଙ୍କ ପୁତଳିକାକୁ କର୍ଣ୍ଣାଟକରେ ଝୁଲାଇବାର ଫଟୋ । ବିଶ୍ୱାସ ହେଉନି ଏହା ଏକବିଂଶ ଶତାବ୍ଦୀର ଭାରତ ଅଟେ’। ଭେଙ୍କଟେସ ପ୍ରସାଦଙ୍କ ଏହି ଟ୍ୱିଟ ଭାଇରାଲ ହୋଇଥିଲା । କିଛି ଏହାକୁ ସମର୍ଥନ କରିଥିବା ବେଳେ କିଛି ବିରୋଧ କରିଥିଲେ । ଏପରିକି ପାକିସ୍ତାନର ୟୁଜର ମଧ୍ୟ ଭେଙ୍କଟେସଙ୍କୁ ଜବାବ ଦେଇଥିଲେ । ଏପରି ଏକ ଟ୍ୱିଟର ଜବାବରେ ଭେଙ୍କଟେସ ପ୍ରସାଦ କହିଥିଲେ, ‘କେବେ ବି ଦୁଇ ଭୁଲ ମିଶି ଠିକ ହୋଇପାରିବ ନାହିଁ। କିନ୍ତୁ ମୁଁ ଏପରି କୌଣସି ଦେଶକୁ ଜାଣି ନାହିଁ, ଯେଉଁଠି ବହୁସଂଖ୍ୟକ ଲୋକେ ଏତେ ଅଧିକ ଭୟଭିତ ହୋଇଥିବେ। ସମସ୍ତଙ୍କୁ ସୁରକ୍ଷା ଜରୁରୀ । ବ୍ରେନୱାସକୁ ରୋକିବା ଜରୁରୀ । ସହିଷ୍ଣୁତା ଗୋଟିଏ ପକ୍ଷରୁ ନୁହେଁ, ଉଭୟ ପକ୍ଷରୁ ରହିବା ଦରକାର’।ଭେଙ୍କଟେସ ପ୍ରସାଦ ଭାରତ ପାଇଁ ମୋଟ ୧୯୪ ମ୍ୟାଚ ଖେଳିଛନ୍ତି। ଏଥିରେ ୩୩ ଟେଷ୍ଟ ମ୍ୟାଚ୍ ଏବଂ ୧୬୧ଟି ଦନିକିଆ ସାମିଲ ରହିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।