
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ପରାସ୍ତ ହେବା ପରେ ନିଜ ଦଳର ନେତାମାନେ ହିଁ ପରସ୍ପର ମଧ୍ୟରେ ବୟାନ ବାଜି କରିବା ଆରମ୍ଭ କରିଥିଲେ । ସେପଟେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜାମ ଖାନ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଜେଲରେ ଥିବା ଆଜମଙ୍କ ପାଇଁ ଦଳର ନେତା ତଥା ଏସପି ବିଧାୟକ ଶିବପାଲ ସିଂ ଯାଦବ ଭାବପ୍ରବଣ ହୋଇପଡ଼ିଛନ୍ତି । ଏନେଇ ସେ ଟ୍ୱିଟରରେ ଆଜାମ ଖାନଙ୍କ ଏକ ଭାଷଣ ଭିଡିଓ ଶେୟାର କରିଛନ୍ତି । ତେବେ ଭଲ ଏବଂ ସଚ୍ଚୋଟ ଚିନ୍ତାଧାରା ସର୍ବଦା ଏହାର ଗନ୍ତବ୍ୟ ସ୍ଥଳରେ ପହଞ୍ଚେ । ମୁଁ ତୁମ ସହିତ ଥିଲି, ଅଛି ଏବଂ ରହିବି । ସେପଟେ ଟ୍ୱିଟରରେ ଶେୟାର ହୋଇଥିବା ଭିଡିଓରେ ଆଜମ କହୁଛନ୍ତି ମୁଁ ନିଜେ କହିବାକୁ ଚାହେଁ ଯେ ମୁଁ ଶିକ୍ଷା କ୍ଷେତ୍ରରେ କରିଥିବାର କାର୍ଯ୍ୟ, ଗତ ଶହେ ବର୍ଷ ମଧ୍ୟରେ କୌଣସି ବ୍ୟକ୍ତି ତାହା କରିନାହାନ୍ତି ।
ମୁଁ ଏକ ବହୁତ ବଡ଼ ବିଶ୍ୱବିଦ୍ୟାଳୟ ନିର୍ବାଣ କରାଯାଇଛି ଏବଂ ଏକ ମେଡିକାଲ ପ୍ରତିଷ୍ଠାନ ଏପରି ଭାବରେ ନିର୍ମାଣ କରାଯାଇଛି । ଯାହା ଦ୍ୱାରା ସମଗ୍ର ଦେଶ ଗର୍ବିତ ହେବ । ଜୋହର ବିଶ୍ୱବିଦ୍ୟାଳୟ ଏସିଆର ସବୁଠାରୁ ଭଲ ବିଶ୍ୱବିଦ୍ୟାଳୟ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ସମାଜବାଦୀ ପାର୍ଟିରେ ଆଜମ ଖାନଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ସେ ଦଳ ଛାଡ଼ିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ପୂର୍ବରୁ ଏସପି ଉପରେ ନିରାଶ ଥିବା ଶିବପାଲ ଯାଦବ ଅନେକଥର ଆଜମଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । କେବଳ ଏତିକି ନୁହେଁ ବରଂ ନିକଟରେ ଆଜାମଙ୍କୁ ଭେଟିବା ପାଇଁ ସେ ଜେଲ ମଧ୍ୟ ଯାଇଥିବାର ଦେଖିବାକୁ ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।