ଆଜମ ଖାନଙ୍କ ଗଡ ରାମପୁରରେ ବିଜେପିର ଐତିହାସିକ ବିଜୟ, ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଜିତିଲେ ହିନ୍ଦୁ ପ୍ରାର୍ଥୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) :ଗୁଜରାଟରେ ବିଜେପି ଐତିହାସିକ ବିଜୟକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଏହା ମଧ୍ୟରେ ବିଜେପି ଉତ୍ତରପ୍ରଦେଶରେ ମଧ୍ୟ ଏକ ଐତିହାସିକ ବିଜୟ ହାସଲ କରିଛି । ତାହା ହେଉଛି ଉତ୍ତରପ୍ରଦେଶର ରାମପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଆକାଶ ସକ୍ସେନା ବିଜୟ ଲାଭ କରିଛନ୍ତି ।

ଏକାଧିକ ଦିଗରୁ ଏହି ବିଜୟକୁ ଐତିହାସିକ ବୋଲି କୁହାଯାଉଛି । କାରଣ ପ୍ରଥମ ଥର ପାଇଁ ଏହି ଆସନରୁ ବିଜେପି ବିଜୟ ହାସଲ କରିଛି । ପୁଣି ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ପ୍ରାର୍ଥୀ ଏହି ମୁସଲିମ ବହୁଳ ଇଲାକାରେ ବିଜୟ ହାସଲ କରିଛନ୍ତି । ଦେଶ ସ୍ବାଧୀନତା ପରଠାରୁ ଏହି ଆସନରେ କେବଳ ମୁସଲିମ ପ୍ରାର୍ଥୀମାନେ ହିଁ ଜିତି ଆସୁଥିଲେ। ଏହାସହିତ ଗତ ୧୯୮୦ରୁ ଏହି ଆସନ ସମାଜବାଦୀ ପାର୍ଟିର ଆଜମ ଖାଁଙ୍କ ପରିବାର କବଜାରେ ଥିଲା । କେବଳ ୧୯୯୬ରୁ ୨୦୦୨ ପର୍ଯ୍ୟନ୍ତ ଏହି ଆସନକୁ ଅଫରୋଜ ଅଲି ଖାଁ ଜିତିଥିଲେ। ଏଣୁ ପ୍ରଥମ ଥର ପାଇଁ ବିଜେପି ଏହି ଆସନରୁ ଜିତିବା ଏକ ଐତିହାସିକ ଘଟଣା ବୋଲି କୁହାଯାଉଛି।

୨୦୧୯ରେ ଏକ ଘୃଣାସୃଷ୍ଟିକାରୀ ଭାଷଣ ଯୋଗୁଁ ଆଜମ ଖାଁଙ୍କୁ ବିଧାନସଭା ସଦସ୍ୟ ପଦ ଲାଗି ଅଯୋଗ୍ୟ ଘୋଷଣା କରାଯାଇଥିଲା । ଏହି କାରଣରୁ ଏହି ଆସନରେ ଉପନିର୍ବାଚନ ହୋଇଥିଲା।

Related Posts