ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ତେବେ ନିର୍ବାଚନ ତାରିଖ ଘୋଷଣା ହେବା ସହ ଏବେ ରାଜନୈତିକ ଦଳମାନେ ଭୋଟରଙ୍କୁ ପ୍ରତିଶ୍ରୁତି ଦେବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ହିମାଚଳ ପ୍ରଦେଶରେ ଏକ ଜନସଭାକୁ ଉଦବୋଧନ ଦେବା ଅବସରରେ ଅନେକ ଗୁଡିଏ ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କି ଆଗାମୀ ନିର୍ବାଚନରେ ଯଦି ହିମାଚଳରେ କଂଗ୍ରେସ ସରକାର ଗଠନ କରେ ତେବେ ରାଜ୍ୟରେ ପୁରୁଣା ପେନସନ ଯୋଜନା ଲାଗୁ କରାଯିବ। କେବଳ ସେତିକି ନୁହେଁ କଂଗ୍ରେସ ସରକାରକୁ ଆସିଲେ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କୁ ୧ ଲକ୍ଷ ସରକାରୀ ଚାକିରି ପ୍ରଦାନ କରାଯିବ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି।

ହିମାଚଳ ପ୍ରଦେଶର ସୋଲନ ଠାରେ ଆୟୋଜିତ ଏକ ସଭାରେ ପ୍ରିୟଙ୍କା କହିଛନ୍ତି ଯେ, ରାଜ୍ୟରେ ମୋଟ ୫ ଲକ୍ଷ ଲୋକଙ୍କ ପାଇଁ ରୋଜଗାରର ଅବସର ସୃଷ୍ଟି କରାଯିବ । ଏଥିମଧ୍ୟରେ ୧ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ମିଳିବ ।

ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେବା ପରେ ବିଜେପି ଉପରେ ବର୍ଷିଛନ୍ତି ପ୍ରିୟଙ୍କା । କହିଛନ୍ତି ଯେ, ଗୋଟିଏ ପଟେ ପେନସନ ଦାବି କରି କର୍ମଚାରୀମାନେ ଧାରଣାରେ ବସିଛନ୍ତି ସେପଟେ ବିଜେପି ସରକାର ପେନସନ ବ୍ୟବସ୍ଥାକୁ ରଦ୍ଦ କରୁଛି । ପେନସନ ଦେବାକୁ ସରକାରଙ୍କ ପାଖରେ ଟଙ୍କା ନାହିଁ ହେଲେ ଉଦ୍ୟୋଗପତିଙ୍କୁ ଋଣ ଛାଡ କରାଯାଉଛି ବୋଲି ପ୍ରିୟଙ୍କା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ହିମାଚଳ ପ୍ରଦେଶ ବିଧାନସଭା ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଏହି ନିର୍ବାଚନ ପାଇଁ ନଭେମ୍ବର ୧୨ ତାରିଖରେ ଭୋଟ ଗ୍ରହଣ ହେବ ଓ ଡିସେମ୍ବର ୮ ତାରିଖରେ ଭୋଟ ଗଣତି ହେବ । ଏବେ ହିମାଚଳ ପ୍ରଦେଶରେ ଭାରତୀୟ ଜନତା ପାର୍ଟିର ସରକାର ଥିବାବେଳେ କଂଗ୍ରେସ ଏଠାରେ ମୁଖ୍ୟ ବିରୋଧୀ ଦଳ ଭାବେ ରହିଛି ।