‘ମୋ ଭାଇ ନିଜ ଜୀବନ ପ୍ରତି ଭୟଭୀତ ନୁହନ୍ତି, ସତ୍ୟ ହିଁ ତାଙ୍କର ସୁରକ୍ଷା କବଚ’: ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ୯ ଦିନର ବିଶ୍ରାମ ପରେ ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ପୁଣି ଆରମ୍ଭ ହୋଇଛି ଭାରତ ଯୋଡ଼ୋ ଯାତ୍ରା। ଏହି ଯାତ୍ରାରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ସାମିଲ ହୋଇଛନ୍ତି ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ନିଜ ଭାଇ ତଥା ଦଳର ନେତା ରାହୁଲ ଗାନ୍ଧିଙ୍କ ସୁରକ୍ଷା ପ୍ରସଙ୍ଗ ସମ୍ପର୍କରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ମୋ ଭାଇ ତାଙ୍କ ଜୀବନ ପ୍ରତି ଭୟ କରନ୍ତି ନାହିଁ। କାରଣ ତାଙ୍କୁ ସର୍ବଦା ସତ୍ୟର କବଚ ସୁରକ୍ଷା ଦେଇ ଆସିଛି।

ପ୍ରିୟଙ୍କା ଗାନ୍ଧି କହିଛନ୍ତି ଯେ, ଲୋକେ ମୋତେ ମୋ ଭାଇକୁ ଜାକେଟ ପିନ୍ଧିବାକୁ ପରାମର୍ଶ ଦେବାକୁ କହୁଛନ୍ତି। ନିଜ ଭାଇ ପାଇଁ ଆପଣ ଭୟଭୀତ ନୁହେଁ କି ବୋଲି ମୋତେ ଲୋକେ ପଚାରୁଛନ୍ତି। କିନ୍ତୁ ମୁଁ କହିବାକୁ ଚାହେଁ ଯେ, ମୋ ଭାଇ ସତ୍ୟର କବଚଦ୍ୱାରା ସୁରକ୍ଷିତ । ଭଗବାନ ତାଙ୍କୁ ରକ୍ଷା କରିବେ। ତାଙ୍କର କିଛି ବି ହେବ ନାହିଁ ବୋଲି ସେ କହିଛନ୍ତି।

ମଙ୍ଗଳବାର ସକାଳେ ରାହୁଲ ଗାନ୍ଧିଙ୍କ ନେତୃତ୍ୱାଧୀନ ଭାରତ ଯୋଡା ଯାତ୍ରା ଗାଜିଆବାଦରେ ପ୍ରବେଶ କରିଛି। ଏହି ସଭାରେ ଦଳ ପକ୍ଷରୁ ଉତ୍ତରପ୍ରଦେଶର ସାଧାରଣ ସମ୍ପାଦକ ଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରା ଭାଷଣ ଦେଇଥିଲେ।ଶୀତର ପ୍ରକୋପ ଥିବାରୁ ବିରତି ପରେ ଗାଜିଆବାଦର ଲୋନି ସୀମା ଦେଇ ଉତ୍ତରପ୍ରଦେଶରେ ଭାରତ ଯୋଡ଼ୋ ଯାତ୍ରା ପ୍ରବେଶ କରିଛି।

ସୂଚନା ଅନୁଯାୟୀ, ଭାରତ ଯୋଡ଼ୋ ଯାତ୍ରା କରୁଥିବା ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ଏକାଧିକ ତ୍ରୁଟି ହୋଇଥିବା ଅଭିଯୋଗ କରିଥିଲା କଂଗ୍ରେସ। କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେନିଗୋପାଲ କହିଥିଲେ ଯେ, ରାହୁଲ ଗାନ୍ଧି ଜେଡ୍‌+ ସୁରକ୍ଷା ପାଇଛନ୍ତି। ହେଲେ ତାଙ୍କ ୪ ପାଖରେ ଦିଲ୍ଲୀ ପୁଲିସ୍‌ ଆବଶ୍ୟକ ସୁରକ୍ଷା ବଳୟ କରିବାରେ ବିଫଳ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ରାହୁଲ ଗାନ୍ଧିଙ୍କ ସହ ଚାଲୁଥିବା କଂଗ୍ରେସ କର୍ମୀ ଓ ଭାରତ ଯାତ୍ରୀମାନେ ବାଧ୍ୟ ହୋଇ ଗୋଟିଏ ସୁରକ୍ଷାବଳୟ ସୃଷ୍ଟି କରିଥିଲେ।

ଦିଲ୍ଲୀ ପୁଲିସ୍‌ ପ୍ରବଳ ଭିଡ଼ ସତ୍ତ୍ୱେ କେବଳ ନୀରବଦ୍ରଷ୍ଟା ସାଜିଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏପରିକି ହରିୟାଣାର କିଛି ଗୁଇନ୍ଦା ଅଧିକାରୀ କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ସାମିଲ ଥିବା କଣ୍ଟେନ ମଧ୍ୟରେ ପ୍ରବେଶ କରୁଛନ୍ତି । ଯାହାଫଳରେ ରାହୁଲଙ୍କ ସମେତ ଅନ୍ୟ ପଦଯାତ୍ରୀଙ୍କ ସୁରକ୍ଷା ବିପନ୍ନ ହେଉଛି । ତେଣୁ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠିରେ କଂଗ୍ରେସ ଦାବି କରିଥିଲା।

Related Posts