ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯଦି ସାଂସଦ ମଧ୍ୟରେ ଧାରଣାରେ ବସି ପାରିବେ ନାହିଁ, ତେବେ ସଂସଦ ପରିସର ରୁ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି କୁ ମଧ୍ୟ ହଟେଇ ଦିଅନ୍ତୁ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର । ତେବେ ସଂସଦ ପରିସର ରେ ଧାରଣା ଓ ପ୍ରଦର୍ଶନକୁ ବାରଣ କରି ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ ମହୁଆ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ନିଷ୍ପତିକୁ ନେଇ ସରକାରଙ୍କୁ ତତ୍ସଲ୍ୟ କରି ମହୁଆ କହିଛନ୍ତି ” ଆପଣ ସମ୍ବିଧାନ ର ଧାରା ୧୯ (କ) କୁ ମଧ୍ୟ ଉଠାଇ ଦିଅନ୍ତୁ”।ସୂଚନା ଅନୁସାରେ ସଂସଦ ର ମୌସୁମୀ ଅଧିବେଶନ ପୂର୍ବରୁ ଏକ ନିର୍ଦ୍ଦେଶନାମା ଜାରି କରି ସଂସଦ ପରିସରରେ ଧାରଣା ଓ ପ୍ରଦର୍ଶନକୁ ବାରଣ କରାଯାଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଲୋକସଭା ତରଫରୁ ମଧ୍ୟ କିଛି ନିର୍ଦ୍ଧିଷ୍ଟ ଶବ୍ଦକୁ ଅସାମ୍ବିଧାନିକ ଘୋଷଣା କରାଯାଇଥିଲା। ଏହି ନିର୍ଦ୍ଦେଶନାମାକୁ ନେଇ ମହୁଆ ଟୁଇଟ କରି ସରକାରଙ୍କୁ ଏଭଳି ସମାଲୋଚନା କରିଛନ୍ତି।

ତେବେ ଏହା ଉପରେ ସ୍ପଷ୍ଟୀକରଣ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ସଂସଦ ର ପ୍ରତ୍ୟେକ ଅଧିବେଶନ ପୂର୍ବରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଏ। କୌଣସି ବି ଶବ୍ଦକୁ ଅସାମ୍ବିଧାନିକ ଘୋଷଣା କରାଯାଇ ନାହିଁ। କେବଳ କାଗଜର ବ୍ୟବହାର କମ କରିବାକୁ ଚଳିତ ଥର ଏହି ନିର୍ଦ୍ଦେଶନାମା କୁ ଇଣ୍ଟରନେଟ ମାଧ୍ୟମରେ ପ୍ରକାଶ କରାଯାଇଛି। ତେବେ ବିରୋଧୀ ମାନେ କୌଣସି ଭୁଲ ଧାରଣା ନ ରଖି ସଂସଦ ର ୧୧୦୦ ପୃଷ୍ଠା ବିଶିଷ୍ଟ ଅଭିଧାନକୁ ପଢନ୍ତୁ ଫଳରେ ସେମାନଙ୍କର ସମସ୍ତ ଭୁଲ୍ ଧାରଣା ଦୂର ହୋଇପାରିବ ବୋଲି ଓମ ବିର୍ଲା କହିଛନ୍ତି।