ଭୁବନେଶ୍ୱର,୧୧l୧(ସତ୍ୟପାଠ ବ୍ୟୁରୋ): ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ହାଇ ସିକ୍ୟୁରିଟ୍ ନମ୍ବର ପ୍ଲେଟ୍ ଯାଞ୍ଚକୁ ନେଇ ପୁଣି ତାଗିଦ୍ କରାଯାଇଛି। ଆସନ୍ତା ୧୫ ତାରିଖରୁ ଯେଉଁ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ନଥିବ, ତାହାର ଯାଞ୍ଚ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ବିଜ୍ଞପ୍ତି ଜାରି କରାଯାଇଛି। ତେବେ ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ରେଜିଷ୍ଟ୍ରେସନ ହୋଇଥିବା ଗାଡ଼ି, ଯାହାର ନମ୍ବରର ଶେଷ ଅଙ୍କ ୧ରୁ ୬ ମଧ୍ୟରେ ହୋଇଥିବ, ସେହି ଗାଡ଼ି ଗୁଡିକର ଯାଞ୍ଚ କରାଯିବ। ଏହି ନମ୍ବର ବିଶିଷ୍ଟ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୨ ଧାର୍ଯ୍ୟ କରାଯାଇଥିଲା।
ଅନ୍ୟପଟେ ୭ ଓ ୮ ଅଙ୍କରେ ଶେଷ ହେଉଥିବା ନମ୍ବର ବିଶିଷ୍ଟ ଗାଡ଼ିଗୁଡିକ ପାଇଁ ସମୟସୀମା ୩୧ ଜାନୁଆରି ୨୦୨୩ ରହିଥିବା ବେଳେ ୯ ଓ ୦ ଶେଷ ଅଙ୍କ ନମ୍ବର ଥିବା ଗାଡ଼ି ଗୁଡିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ଫେବ୍ରୁଆରି ୨୮, ୨୦୨୩ ରହିଛି। ୧ରୁ ୬ ଶେଷ ନମ୍ବର ଥିବା ଗାଡ଼ିର ନିୟମ ଖିଲାପକାରୀଙ୍କ ବିରୋଧରେ ୫ରୁ ୧୦ ହଜାର ଟଙ୍କାର ଇ-ଚାଲାଣ କଟାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏନେଇ ଅତିରିକ୍ତ ପରିବହନ କମିସନର ଲାଲମୋହନ ସେଠୀ (ଏନଫୋର୍ସମେଣ୍ଟ) କହିଛନ୍ତି ଯେ, ୨୦୨୩, ଜାନୁଆରି ୯ ତାରିଖ ସୁଦ୍ଧା ୩୫ ଲକ୍ଷ ୫୬ ହଜାର ୮୧୯ଟି ଗାଡିର ସ୍ଲଟ୍ ବୁକିଂ ହୋଇଥିବା ବେଳେ ୨୭ ଲକ୍ଷ ୨୪ ହଜାର ୯୯୪ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ସାରିଛି। ରେଜିଷ୍ଟ୍ରେସନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥିବାରୁ ତୁରନ୍ତ ଏହାର ସୁଯୋଗ ନେବାକୁ ଶ୍ରୀ ସେଠୀ ସୂଚନା ଦେଇଛନ୍ତି।
