ଆଇପିଏଲରେ ଲାଗୁ ହୋଇପାରେ ଇମ୍ପାକ୍ଟ ପ୍ଲେୟାର ନିୟମ, ଗୋଟିଏ ଟିମରେ ୧୧ ବଦଳରେ ରହିବେ ୧୫ ଖେଳାଳି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚାରିଆଡ଼େ ଟି୨୦ କ୍ରିକେଟରେ ରୋମାଂଚ ଭରି ରହିଥିବା ବେଳେ ଏହାକୁ ଆହୁରି ରୋଚକ କରିବାକୁ ବିସିସିଆଇ ଚିନ୍ତା କରୁଛି। କ୍ରିକେଟ ପ୍ରଶଂସକଙ୍କୁ ବାନ୍ଧି ରଖିବା ପାଇଁ ଆଇପିଏଲରେ ଗୋଟିଏ ଟିମ ଚୂଡାନ୍ତ ଖେଳାଳି ତାଲିକାରେ ୧୧ ବଦଳରେ ୧୫ ଖେଳାଳି ସାମିଲ କରିପାରିବା ନିୟମ ଲାଗୁ କରିବା ପାଇଁ ପରୀକ୍ଷା ନିରୀକ୍ଷା ଆରମ୍ଭ ହେବାକୁ ଯାଉଛି ।ଆବଶ୍ୟକ ପଡିଲେ ଗୋଟିଏ ଟିମ ଅତିରିକ୍ତ ଖେଳାଳିଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ମ୍ୟାଚ ମଝିରେ ମଧ୍ୟ ସାମିଲ କରିପାରିବ । ଏହା ମ୍ୟାଚର ଗତିପଥ ବଦଳାଇବାରେ ସହାୟ ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ବିସିସିଆଇ ଏହାକୁ ଘରୋଇ ପ୍ରତିଯୋଗିତାଗୁଡିକରେ ଲାଗୁ କରିବା ପାଇଁ ଉଦ୍ୟମ କରୁଛି । ଏ ନେଇ ଚୂଡାନ୍ତ ଶୁଣାଣୀ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇ ନ ଥିଲେ ମଧ୍ୟ ବିଶେଷ ସୂତ୍ର ଅନୁସାରେ ଏହା ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି । ଅକ୍ଟୋବର ୧୧ରୁ ଖେଳାଯିବାକୁ ଥିବା ଟି୨୦ ସୟେଦ ମୁସ୍ତାକ ଅଲୀ କ୍ରିକେଟରେ ଏହାକୁ ପରୀକ୍ଷଣ ଭାବେ ଲାଗୁ କରିବା ପାଇଁ ବିସିସିଆଇ ଯୋଜନା କରୁଛି । ଏଥିରେ ସଫଳ ହେଲେ ୨୦୨୩ ଆଇପିଏଲରେ ଇମ୍ପାକ୍ଟ ପ୍ଲେୟାର ପଲିସି ପ୍ରୟୋଗ କରାଯିବ ।

ପୂର୍ବରୁ ଅଷ୍ଟ୍ରେଲିଆରେ ବିଗ ବାସ ଲିଗରେ ଏହାକୁ ଲାଗୁ କରାଯାଇ ବେଶ ଲୋକପ୍ରିୟତା ଅର୍ଜନ କରିଛି । ସେଠାରେ ୧୫ ବଦଳରେ ୧୩ ଖେଳାଳିଙ୍କୁ ଅନୁମତି ମିଳିଛି । ମ୍ୟାଚ୍ ଗୁଡିକରେ ଏକ୍ସ ଫ୍ୟାକ୍ଟର ଭାବେ ଜଣେ ଖେଳାଳଙ୍କୁ ବ୍ୟବହାର କରାଯିବ । ଯାହାକି ମ୍ୟାଚଗୁଡିକ ଆହୁରି ରୋମାଂଚିତ ହେବ । ଘରୋଇ ଫର୍ମାଟ ପରେ ଶେଷରେ ଆନ୍ତର୍ଜାତୀୟସ୍ତରରେ ଏହାକୁ ଲାଗୁ କରାଯିବ କି ନାହିଁ ତାହା ଆଇସିସି ବିଚାର କରିବ । ତେବେ କ୍ରିକେଟ ସମୀକ୍ଷକଙ୍କ ମତରେ ବାରମ୍ବାର ନୂତନ ନିୟମ ଲାଗୁ କରି ଜୋର ଜବରଦସ୍ତ ରୋମାଂଚ ଭରିବା ପରୋକ୍ଷରେ ବୁମେରାଂ ସାବ୍ୟସ୍ତ ହୋଇପାରେ । ଏବେ ଟି୨୦ର ପ୍ରଭାବ ଯୋଗୁ ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ପ୍ରତି ଦର୍ଶକଙ୍କୁ ରୁଚି କମିବାରେ ଲାଗିଛି । ଦର୍ଶକ ପ୍ରକୃତ କ୍ରିକେଟ ଏବଂ ଖେଳାଳିଙ୍କ ଦକ୍ଷତା ପରଖି ପାରୁ ନାହାଁନ୍ତି । ଏହା ପରୋକ୍ଷରେ କ୍ରିକେଟର ହିଁ କ୍ଷତି କରାଇବ ବୋଲି ମତ ପ୍ରକାଶ ପାଇଛି।

Related Posts