ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର; ୫୬୭ ଡାକ୍ତର ପଦବୀରୁ ୨୯୩ ଖାଲି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ତେବେ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରୁ ସରକାର ପର‌୍ୟ୍ୟାୟ କ୍ରମେ ବିଶେଷଜ୍ଞ ଡାକ୍ତରଙ୍କୁ ବଦଳି କରି ନେଉଛନ୍ତି। ଫଳରେ ଏମ୍‌କେସିଜି ମେଡିକାଲରେ ଅନେକ ଗୁରୁତ୍ବପୂର୍ଣ ବିଭାଗରେ ରୋଗୀ ତ୍ବରିତ ଚିକିତ୍ସାସେବା ପାଇପାରୁ ନାହାନ୍ତି। କେବଳ ଏମ୍‌କେସିଜି ମେଡିକାଲ ନୁହେଁ ପୂରା ଗଞ୍ଜାମ ଜିଲ୍ଲାର ସ୍ବାସ୍ଥ୍ୟସେବା ମଧ୍ୟ ବିପର‌୍ୟ୍ୟସ୍ତ ଅବସ୍ଥାରେ। ସବୁ ବ୍ଲକ୍ ମୁଖ୍ୟଳୟ, ଗ୍ରାମାଞ୍ଚଳ ଡାକ୍ତରଖାନାରେ ଡାକ୍ତର ଅଭାବ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଜିଲ୍ଲାରେ ୫୦ ପ୍ରତିଶତରୁ ଅଧିକ ଡାକ୍ତର ପଦବି ଖାଲି ପଡ଼ିଛି। ଏଇଠି ପ୍ରଶ୍ନ ଉଠୁଛି ଯେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ଏଭଳି ବିକଳ ଚିତ୍ର ଯଦି ସାମ୍ନାକୁ ଆସୁଛି ତାହାଲେ ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କର ସ୍ଥିତି କଣ ରହିଥିବ ? ସେପଟେ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍‌ରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ବ୍ରହ୍ମପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଭଞ୍ଜନଗର ଏବଂ ଛତ୍ରପୁରରେ ଦୁଇଟି ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ରହିଛି। ଏଥିପାଇଁ ଗଞ୍ଜାମ ଜିଲ୍ଲାକୁ ମୋଟ ୫୬୭ ଡାକ୍ତର ପଦବି ମଂଜୁର ହୋଇଛି। ତନ୍ମଧ୍ୟରୁ ୨୭୪ଟି ପଦବିରେ ଡାକ୍ତର ଥିବା ବେଳେ ଗତ ୧୨ ତାରିଖ ସୁଦ୍ଧା ୨୯୩ଟି ଡାକ୍ତର ପଦ ଖାଲି ପଡ଼ିଛି। ଜିଲ୍ଲା ପାଇଁ ୨୦୧ ଫାର୍ମାସିଷ୍ଟ୍ ପଦବି ମଂଜୁର ହୋଇଥିବା ବେଳେ ୧୪୯ ଜଣ ଅଛନ୍ତି ଓ ୫୨ ଫାର୍ମାସିଷ୍ଟ ପଦବି ଖାଲି ପଡ଼ିଛି।

ସେହିଭଳି ଜିଲ୍ଲାକୁ ସମୁଦାୟ ୬୩୭ ନର୍ସ ପଦବି ସରକାର ମଂଜୁର କରିଥିବା ବେଳେ ସେଥିରୁ ୧୯୯ ପଦବି ଖାଲି ରହିଛି। ସେହିପରି ୧୦୮ ଲ୍ୟାବ୍ ଟେକ୍ନିସିଆନ୍ ପଦବି ମଂଜୁର ହୋଇଥିଲା ବେଳେ ଜିଲ୍ଲାରେ ୫୪ଟି ପଦବି ଖାଲି ପଡ଼ିଛି। କେବଳ ଏତିକି ନୁହେଁ ବରଂ ଗଞ୍ଜାମ ଜିଲ୍ଲାର ୨ଟି ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ସହିତ ବ୍ରହ୍ମପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଡାକ୍ତର ଅଭାବ ଲାଗି ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ସିଟି ହସ୍ପିଟାଲ୍‌) ପାଇଁ ୭୭ ଡାକ୍ତର ପଦବି ମଂଜୁର ହୋଇଥିବା ବେଳେ ୫୦ଜଣ ଅଛନ୍ତି। ସେହିପରି ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ପାଇଁ ୨୩ ଡାକ୍ତର ପଦବି ମଂଜୁର ହୋଇଥିବା ବେଳେ ୧୬ଜଣ ଅଛନ୍ତି। ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ପାଇଁ ୧୮ ଡାକ୍ତର ପଦବି ମଂଜୁର ହୋଇଥିବା ବେଳେ ୧୨ଜଣ କାର‌୍ୟ୍ୟ କରୁଛନ୍ତି। ଗଞ୍ଜାମ ଜିଲ୍ଲାରେ ୫୦ ପ୍ରତିଶତରୁ ଅଧିକ ଡାକ୍ତର ପଦବି ଖାଲି ରହିଛି। ଗ୍ରାମାଞ୍ଚଳ ଡାକ୍ତରଖାନାଗୁଡ଼ିକରେ କାମ କରିବା ପାଇଁ ଡାକ୍ତରମାନେ ଇଚ୍ଛା ପ୍ରକାଶ କରୁ ନଥିବାରୁ ଏଭଳି ଅସୁବିଧା ସୃଷ୍ଟି ହେଉଥିବା ଜଣେ ଅଧିକାରୀ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts