ଦିଲ୍ଲୀରେ ଆବର୍ଜନାକୁ ନେଇ ଆରମ୍ଭ ହେଲା ରାଜନୀତି; ମୁହାଁମୁହିଁ ହେଲେ ଆପ୍ ଓ ବିଜେପି କର୍ମୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଦିଲ୍ଲୀରେ ଆବର୍ଜନାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏନେଇ ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପୂର୍ବ ଦିଲ୍ଲୀର ଗାଜିପୁର ଲ୍ୟାଣ୍ଡଫିଲ୍ ପରିଦର୍ଶନ କରିବାକୁ ଯାଇଥିବା ବେଳେ ବିଜେପି କର୍ମୀମାନେ ତାଙ୍କୁ ସେଠାରେ କଳା ପତାକା ଦେଖାଇଛନ୍ତି। ଏଥିସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ଆପ କର୍ମୀମାନେ ମଧ୍ୟ ଗାଜିପୁର ଲ୍ୟାଣ୍ଡଫିଲ୍‌ରେ ପହଞ୍ଚି ବିଜେପି ବିରୋଧରେ ସ୍ଲୋଗାନ ଦେଇଛନ୍ତି।

ଦିଲ୍ଲୀରେ ଜମୁଥିବା କୁଢ଼ କୁଢ଼ ଅଳିଆକୁ ନେଇ କେଜ୍ରିୱାଲ ମଧ୍ୟ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ଯେ, ପୂରା ବିଶ୍ୱରେ ଆପଣମାନେ ପର୍ଯ୍ୟଟନ ସ୍ଥଳି ଦେଖିବାକୁ ଯାଆନ୍ତି। କିନ୍ତୁ ଦିଲ୍ଲୀ ଆସିଲେ ଏଠାରେ କେବଳ ଅଳିଆ ଆବର୍ଜନାର ପାହାଡ ଦେଖିବାକୁ ମିଳିବ। ଗେତ ୧୫ ବର୍ଷ ଧରି ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ୍‌ ବିଜେପି ଦଖଲରେ ରହିଛି। ଏହି ସମୟ ମଧ୍ୟରେ ବିଜେପି ଦିଲ୍ଲୀକୁ କେବଳ ଆବର୍ଜନାର ପାହାଡ ଦେଇଛି । ବିଜେପି ଦିଲ୍ଲୀର ମୁଣ୍ଡକୁ ଲଜ୍ଜାରେ ନୁଆଁଇ ଦେଇଛି। ସେମାନେ କେବଳ ଦିଲ୍ଲୀକୁ ଆବର୍ଜନା ଛଡା ଆଉ କିଛି ଦେଇନାହାନ୍ତି ବୋଲି କେଜ୍ରିୱାଲ କହିଛନ୍ତି।

ଅନ୍ୟପକ୍ଷରେ ଆପ୍ ମିଛ କହୁଛି ବୋଲି ବିଜେପି କର୍ମୀମାନେ ଯୁକ୍ତି କରିଛନ୍ତି। ନିର୍ବାଚନ ଆସିବାରୁ କେଜ୍ରିୱାଲଙ୍କର ଆବର୍ଜନା କଥା ମନେପଡିଲା ବୋଲି ବିଜେପି କହିଛି। ଏହାସହିତ ଅରବିନ୍ଦ କେଜ୍ରିୱାଲଙ୍କୁ ଜୋରଦାର ବିରୋଧ କରିଛି।

ତେବେ ଚଳିତ ବର୍ଷ ଶେଷ କିମ୍ବା ୨୦୨୩ ଆରମ୍ଭରେ ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ୍‌ (ଏମ୍‌ସିଡି) ନିର୍ବାଚନ ଅନୁଷ୍ଠିତ ହେବ। ଏଥିର ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ପାଲଟିଛି ସ୍ୱଚ୍ଛତା। ଏହାକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲ ଆଜି ଗାଜିପୁର ଲ୍ୟାଣ୍ଡଫିଲ୍ମ ପରିଦର୍ଶନ କରିବାକୁ ଯାଇଛନ୍ତି। କେଜ୍ରିୱାଲଙ୍କ ଗସ୍ତ ସହିତ ଦିଲ୍ଲୀରେ ଆବର୍ଜନାକୁ ନେଇ ରାଜନୀତି ଆରମ୍ଭ ହୋଇଛି ଓ ଆପ-ବିଜେପି ମୁହାଁମୁହିଁ ହୋଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଗାଜିପୁର ଲ୍ୟାଣ୍ଡଫିଲ୍ମରେ ତାଜମହଲ ଠାରୁ ଉଚ୍ଛରେ ଆବର୍ଜନାର ପାହାଡ ଠିଆ ହୋଇଛି। ଏଠାରେ ପ୍ରତିଦିନ ଶହ ଶହ ଟ୍ରକ୍ ଅଳିଆ ଆବର୍ଜନା ପଡୁଛି। ୩୫ ବର୍ଷ ମଧ୍ୟରେ ୭୦ ଏକର ଜମିରେ ୨୭୦ ଫୁଟ ଉଚ୍ଚତା ବିଶିଷ୍ଟ ଅଳିଆ ପାହାଡ ଜମା ହୋଇଛି।

Related Posts