ନିଜ ନିର୍ବାଚନ ମଣ୍ଡଳୀରେ ହଟ୍ଟହଟ୍ଟା ହେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଜ ନିର୍ବାଚନ ମଣ୍ଡଳୀରେ ହଟ୍ଟହଟ୍ଟା ହେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ନିଜ ନିର୍ବାଚନୀ ମଣ୍ଡଳରେ ମନ୍ତ୍ରୀଙ୍କୁ ଦୀର୍ଘ ସମୟ ଧରି ଅସନ୍ତୁଷ୍ଟ କର୍ମାମାନେ ଅଟକ ରଖିଥିଲେ । ଫଳରେ ବିଜେଡିରେ ହିଁ ଦଳୀୟ କନ୍ଦଳ ରହିଛି ବୋଲି ଅନୁମାନ କରାଯାଉଛି । ନିମାପଡା ନିର୍ବାଚନ ମଣ୍ଡଳୀର ଗୋପ ବ୍ଲକ ନାଗପୁର ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ଲାଗି ବିଜେଡି ପକ୍ଷରୁ ଦୁଇ ଦୁଇଜଣ ପ୍ରାର୍ଥୀ ଦିଆଯାଇଥିବା କୁହାଯାଉଛି । ଖୋଲାବହି ଚିହ୍ନରେ ଛିଡା ହୋଇଥିବା ପ୍ରାର୍ଥୀଙ୍କୁ ବିଜେଡିର ସ୍ଥାନୀୟ ବରିଷ୍ଠ କର୍ମୀଙ୍କ ସମର୍ଥନ ରହିଥିବାବେଳେ ମନ୍ତ୍ରୀଙ୍କ ସମର୍ଥିତ ପ୍ରାର୍ଥୀ ସୂର୍ୟ୍ୟ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାଙ୍କ ପ୍ରତି ହାତଗଣତି କର୍ମୀଙ୍କ ସମର୍ଥନ ରହିଥିବା କୁହାଯାଉଛି । ଆଉ ଏହାକୁ ନେଇ ନାଗପୁର ପଞ୍ଚାୟତରେ ଦୁଇ ଗୋଷ୍ଠୀ ଭିତରେ ଲାଗିରହିଛି ଛକାପଞ୍ଝା ।ମନ୍ତ୍ରୀ ସମୀର ଦାଶ ନାଗପୁର ଗସ୍ତରେ ଯାଇଥିବାବେଳେ ତାଙ୍କ ଗାଡିକୁ ରାସ୍ତା ଉପରେ ଅଟକାଇ ଦେଇଥିଲେ ଅସନ୍ତୁଷ୍ଟ କର୍ମୀ ।

ନାଗପୁର ବଜାର ଉପରେ ଦୀର୍ଘ ସମୟ ଧରି ଗାଡିକୁ ଅଟକ ରଖିଥିଲେ । ଖୋଲାବହି ଚିହ୍ନରେ ଛିଡା ହୋଇଥିବା ପ୍ରାର୍ଥୀଙ୍କ କାର୍ୟ୍ୟାଳୟକୁ ଯିବା ପାଇଁ ମନ୍ତ୍ରୀଙ୍କୁ ବାଧ୍ୟ କରିଥିଲେ । ହେଲେ ମନ୍ତ୍ରୀ ଏଥିପାଇଁ ରାଜି ନହୋଇ ଅନୁରୋଧ କରି ସେଠାରୁ ଖସିଆସିଥିଲେ । ହେଲେ ପଞ୍ଚାୟତ ନିର୍ବାଚନକୁ ନେଇ ଏଠାରେ ଦୁଇ ଗୋଷ୍ଠୀ ଭିତରେ ବିବାଦ ଯୋଗୁଁ ଅକଳରେ ପଡିଯାଇଛନ୍ତି ମନ୍ତ୍ରୀ । ନିଜ ନିର୍ବାଚନ ମଣ୍ଡଳୀରେ ଏଭଳି ବିରୋଧାଭାସ ମନ୍ତ୍ରୀ ଓ ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ରାସ୍ତାରେ ଅଟକାଇ ମନ ମାନିଲା ନାହିଁ ଯେ, ପୁଣି ମନ୍ତ୍ରୀଙ୍କ କ୍ୟାମ୍ପ ଅଫିସରେ ଭଙ୍ଗାରୁଜା କରିଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ ।

ଅନୁରୋଧ ପରେ ବି ମନ୍ତ୍ରୀ କାହିଁକି ସେମାନଙ୍କ ସାଙ୍ଗରେ ଗଲେ ନାହିଁ ବୋଲି କହିଛନ୍ତି । ସୂର୍ୟ୍ୟ ଚିହ୍ନରେ ଛିଡା ହୋଇଥିବା ପ୍ରାର୍ଥୀଙ୍କୁ ବିଜେଡି ଓ ମନ୍ତ୍ରୀଙ୍କ ସମର୍ଥନ ରହିଛି । ତେଣୁ ନାଗପୁର ପଞ୍ଚାୟତରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଏକ କ୍ୟାମ୍ପ ଅଫିସ କରାଯାଇଛି । ଏଠାରେ ବ୍ୟାନର ଲାଗିଥିବା ବେଳେ ଏହାକୁ ଚିରି ପକାଇଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ । ଅଫିସରେ ପଡିଥିବା ଚେୟାର ଫିଙ୍ଗା ପୋପଡା କରିଛନ୍ତି ।

Related Posts