କେରଳରେ କେବେ ହେଲେ ସିଏଏ ଲାଗୁ ହେବନି: ମୁଖ୍ୟମନ୍ତ୍ରୀ ପନରାୟୀ ବିଜୟନ

ଥିରୁଅନନ୍ତପୁରମ: ସଂସଦରେ ପାରିତ ହୋଇଥିବା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ପୁଣି ଥରେ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପନରାୟୀ ବିଜୟନ | କ୍ରମାଗତ ଦ୍ୱିତୀୟଥର ପାଇଁ କେରଳରେ କ୍ଷମତା ଦଖଲ କରିଥିବା ବିଜୟନ ସରକାରଙ୍କ ବର୍ଷପୂର୍ତ୍ତି ପାଇଁ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହାର ଉଦଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି, “ସିଏଏକୁ ନେଇ କେରଳ ସରକାର ନିଜର ଆଭିମୁଖ୍ୟ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି। ଏହି ଆଭିମୁଖ୍ୟ ଆଗକୁ ମଧ୍ୟ ଜାରି ରହିବ। କେରଳରେ କେବେ ହେଲେ ସିଏଏ ଲାଗୁ ହେବନି।”

ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମେ ଦେଶ ସମ୍ବିଧାନରେ ଉଲ୍ଲେଖ ଥିବା ଧର୍ମନିରପେକ୍ଷ ନୀତି ଅନୁସାରେ କାର୍ଯ୍ୟ କରିଥାଏ। ଏବେ କିନ୍ତୁ ଧର୍ମନିରପେକ୍ଷତାକୁ ଧ୍ୱଂସ କରିବାକୁ ବାରମ୍ବାର ଉଦ୍ୟମ କରାଯାଉଛି। କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକ ଏନେଇ ବେଶ ଚିନ୍ତିତ ରହିଛନ୍ତି। ନିକଟରେ ଘଟିଥିବା ଗୋଟିଏ ଗ୍ରୁପର ଲୋକମାନେ ଧର୍ମ ଆଧାରରେ ନାଗରିକତ୍ୱ ପ୍ରଦାନ କରିବାକୁ ଚାହୁଁଛନ୍ତି। କେରଳ ସରକାର ଏପରି ଘଟଣା ବିରୋଧରେ ବେଶ ସ୍ପଷ୍ଟତାର ସହ ଛିଡ଼ା ହୋଇଛନ୍ତି।

ଲୋକଙ୍କ ମଧ୍ୟରେ ଧାର୍ମିକ ବିବାଦ ସୃଷ୍ଟି କରିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଏବେ ସର୍ଭେ କରାଯାଉଛି। କିନ୍ତୁ ଏଠାରେ ସମାଜର ସବୁଠାରୁ ଗରିବ ପରିବାର ଚିହ୍ନଟ କରିବାକୁ ସର୍ଭେ ଶେଷ କରାଯାଇଛି। ଏହି ସର୍ଭେର ପରବର୍ତ୍ତୀ ପଦକ୍ଷେପ ଖୁବଶୀଘ୍ର ଘୋଷଣା କରାଯିବ।”

ଏଲଡିଏଫ ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ ଅବସରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ପୁଣିଥରେ କହିଛନ୍ତି ଯେ ରାଜ୍ୟରେ କେବେ ହେଲେ ଧର୍ମକୁ ଆଧାର କରି ନାଗରିକତ୍ୱ ସର୍ଭେ ହୋଇ ପାରିବ ନାହିଁ। ସିଏଏ ଏଠାରେ ଲାଗୁ ହେବନି ବୋଲି ସେ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ମହାମାରୀ କରୋନାର ପ୍ରଭାବ ହ୍ରାସ ପାଇବା ପରେ ସମଗ୍ର ଦେଶରେ ସିଏଏ ଲାଗୁ ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗତ ମାସରେ ପଶ୍ଚିମବଙ୍ଗର ସିଲିଗୁଡ଼ି ଠାରେ ଘୋଷଣା କରିଥିଲେ।

Related Posts