ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାରର ମୋକାମାରୁ ଆରଜେଡିର ବାହୁବଳୀ ବିଧାୟକ ଅନନ୍ତ ସିଂଙ୍କ ଘରୁ ଏକେ ୪୭ ରଖିବା ଏବଂ ହ୍ୟାଣ୍ଡ ଗେନେଡ ଜବତ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏହି ଦଣ୍ଡାଦେଶ ଘୋଷଣା ପରେ ଅନନ୍ତ ସିଂଙ୍କ ବିଧାନସଭା ମଧ୍ୟ ବିପଦରେ ରହିଛି। ଆପଣଙ୍କୁ କହିବାକୁ ଗଲେ ଜୁନ୍ ୧୪ ରେ ଅନନ୍ତ ସିଂ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ବର୍ତ୍ତମାନ ଏହି ମାମଲାରେ ସାଂସଦ-ବିଧାୟକ କୋର୍ଟ ଅନନ୍ତ ସିଂଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମୋକାମା ବିଧାୟକ ଅନନ୍ତ ସିଂ ବର୍ତ୍ତମାନ ପାଟଣାର ବିୟୁ ଜେଲରେ ରହିଛନ୍ତି। ଏହି ଦଣ୍ଡର ଘୋଷଣା ପରେ ଅନନ୍ତ ସିଂଙ୍କ ବିଧାୟକ ପଦ ମଧ୍ୟ ଯାଇପାରେ । କାରଣ ସାଧାରଣତଃ ବିଧାନସଭାର କୌଣସି ସଦସ୍ୟ ଅପରାଧିକ ମାମଲାରେ ଦୁଇ ବର୍ଷରୁ ଅଧିକ ଦଣ୍ଡ ପାଇଲେ ତାଙ୍କର ବିଧାୟକ ପଦ ଚାଲିଯାଇଥାଏ ।

ତେବେ ଅନନ୍ତ ସିଂଙ୍କ ପରାମର୍ଶଦାତା ସୁନୀଲ କୁମାର କହିଛନ୍ତି ଯେ ଏହି ଦଣ୍ଡ ପାଟନା ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ଏବଂ ଆବେଦନ କରାଯିବ। ଏହି ମାମଲାରେ ବାହୁବଳୀ ବିଧାୟକଙ୍କ ସହ ତାଙ୍କ ଘରର ତଦାରଖକାରୀ ସୁନୀଲ ରାମଙ୍କୁ ମଧ୍ୟ ଏହି ମାମଲାରେ ୧୦ ବର୍ଷ ଦଣ୍ଡିତ କରାଯାଇଛି । ସେପଟେ ପାଟନା ପୁଲିସର ଏକ ଟିମ ଅଗଷ୍ଟ ୧୬ ତାରିଖ ୨୦୧୯ ମସିହାରେ ଲଡୱାନ ଗାଁରେ ଥିବା ମୋକାମା ବିଧାୟକ ଅନନ୍ତ କୁମାର ସିଂହଙ୍କ ପୈତୃକ ଘରେ ଚଢ଼ାଉ କରିଥିଲା । ଏହି ଚଙ୍ଘ଼ାଉରେ ପୁଲିସ ମୋକାମା ବିଧାୟକଙ୍କ ଘରୁ ନିଷିଦ୍ଧ ଅସ୍ତ୍ର ଏକେ-୪୭ ଏବଂ ଦୁଇଟି ଗ୍ରେନେଡ ଜବତ କରିଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।