ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୌର ନିର୍ବାଚନ ପୂର୍ବରୁ ଯୋଡ଼ି ଭୋଟ ନବିକିବା ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି । ତେବେ ଆପଣମାନେ ଭୋଟ୍ ବିକିବେ ନାହିଁ। ବିକାଶ ପାଇଁ କାମ କରିବା। ଯିଏ ବିକାଶ କରିପାରିବ, ତାକୁ ଭୋଟ୍ ଦେଇ ବାଛନ୍ତୁ। ପଞ୍ଚାୟତ ନିର୍ବାଚନରେ ଆମର ପ୍ରଦର୍ଶନ ବହୁତ ଖରାପ ହୋଇଛି। ଓଡ଼ିଶା ସାରା ଏମିତି ପରାଜୟ ହେବ ବୋଲି ଆମେ ଭାବି ନଥିଲୁ। ଏହାର ବିଭିନ୍ନ କାରଣ ରହିଛି। କିନ୍ତୁ ପଞ୍ଚାୟତ ନିର୍ବାଚନର ପ୍ରଭାବ ପୌର ନିର୍ବାଚନରେ ପଡ଼ବ ନାହିଁ। କାରଣ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର (ଖୋର୍ଦ୍ଧା ମ୍ୟୁନିସିପାଲିଟି, ଜଟଣୀ ମ୍ୟୁନିସିପାଲିଟି ଓ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍)ରେ ଅଦ୍ଭୁତ ଉତ୍ସାହ ଦେଖିବାକୁ ପାଇଛି।

ସବୁ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ରହିଛି। ସମସ୍ତେ ଲଢ଼ିବାକୁ ଚାହୁଁଛନ୍ତି।” ଶ୍ରୀମତୀ ଷଡଙ୍ଗୀ ଆହୁରି କହିଛନ୍ତି, “ଆମେ ୫ଟି ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବୁ। ସେ ଗୁଡ଼ିକ ହେଲା ଡ୍ରେନେଜ, ବସ୍ତି, ଭେଣ୍ଡିଂ ଜୋନ୍, ସୌନ୍ଦର୍ୟ୍ୟକରଣ ଓ ସୁରକ୍ଷା।” ଅପରାଜିତାଙ୍କ ପ୍ରଥମ ପ୍ରସଙ୍ଗ ହେଲା ‘ବସ୍ତି’। ସେ କହିଛନ୍ତି, ଏଠି ସାଢ଼େ ଚାରି ଶହରୁ ଊର୍ଦ୍ଧ୍ୱ ବସ୍ତି ରହିଛି। ବସ୍ତିରେ ବାସ କରୁଥିବା ଲୋକଙ୍କ ଜୀବନଧାରଣର ମାନ ଯେମିତି ହେବା କଥା ତାହା ହୋଇନାହିଁ। ୨୦ ବର୍ଷର ଶାସନ କାଳ ଭିତରେ କାହିଁକି ବସ୍ତି, ବସ୍ତି ହୋଇ ରହି ଯାଇଛି? ସେମାନଙ୍କ ଜୀବନଶୈଳୀ ସ୍ଥିର ହୋଇ ରହିଛି। ବସ୍ତିରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଡ୍ରେନ୍ ଉପରେ ଧ୍ୟାନ ଦେବାର ଥିଲା। ଆଉ ବସ୍ତିକୁ ସହରାଞ୍ଚଳ ସହିତ ମିଶାଇବାର ଥିଲା। ମାତ୍ର ତାହା ହୋଇପାରିଲା ନାହିଁ ବୋଲି ଅପରାଜିତା କହିଛନ୍ତି।