ଭୁବନେଶ୍ୱର,୨/୧(ସତ୍ୟପାଠ ବ୍ୟୁରୋ): ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରେ ରାତି ତାପମାତ୍ରା ବଢୁଛି । ଆସନ୍ତା ୪-୫ ଦିନ ଯାଏ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିଯିବ । ଫଳରେ ରାଜ୍ୟରେ ଶୀତର ବିଶେଷ ପ୍ରଭାବ ରହିବନି । କିନ୍ତୁ ଘନ କୁହୁଡ଼ି ପଡ଼ିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଇଛି । l
ପାଣିପାଗ ବିଭାଗର ଆକଳନ ଅନୁସାରେ, ଏବେ ଅଧିକାଂଶ ସ୍ଥାନର ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ଆଗାମୀ ୪ରୁ ୫ ଦିନ ଯାଏ ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ । ପୁଣି ଘନ କୁହୁଡ଼ି ସମ୍ଭାବନା ଥିବା ନେଇ ବିଭାଗ ପୂର୍ବାନୁମାନ କରିଛି । ସାମୁଦ୍ରିକ ବାୟୁ ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିମାଣ ବଢ଼ିଛି । ଗୁରୁଚାପ ବଳୟ ସକ୍ରିୟ ଥିବାରୁ ବାୟୁମଣ୍ଡଳରେ ସ୍ଥିରତା ବଢିଛି । ରାତିରେ ଆକାଶ ନିର୍ମଳ ରହୁଥିବାରୁ ଦୁଇ ଦିନ ରାଜ୍ୟର କିଛି ଅଞ୍ଚଳରେ ଘନ କୁହୁଡିର ସମ୍ଭାବନା ଅଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଏଥିସହ ରବିବାର ଭଳି ଆଜି(ସୋମବାର) କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳ, ଗଜପତି, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ। ଏଣୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୧୦ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩ ତାରିଖ ଦିନ ମଧ୍ୟ ଅନୁଗୁଳ, ଢେଙ୍କାନାଳ, କଟକ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ବୌଦ୍ଧ ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ି ପଡ଼ିପାରେ ବୋଲି ସୂଚନା ମିଳିଛି।
