ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜନ୍ମରୁ ଶତ ପ୍ରତିଶତ ଦୃଷ୍ଟି ବାଧିତ, ହେଲେ କଠିନ ପରିଶ୍ରମ ଓ ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା। ଦୃଷ୍ଟି ବାଧିତ ହୋଇ ମଧ୍ୟ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୄତକାର୍ଯ୍ୟ ହୋଇଛନ୍ତି ଅନ୍ତର୍ଜାତୀୟ ପାରାଚେସ୍ ତାରକା ପ୍ରାଚୁର୍ଯ୍ୟ ପ୍ରଧାନ।ପଦ୍ମପୁର ସତୀଭଟାର ପ୍ରାଚୁର୍ଯ୍ୟ ପ୍ରଧାନ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ୨୯୨ ରାଙ୍କ୍ ଆଣିଛନ୍ତି । ପ୍ରଥମେ ଚେସରେ ଦେଶ ପାଇଁ ଗର୍ବ ଆଣିଥିବା ବେଳେ ଏବେ ଏହି ଅନନ୍ୟ ସଫଳତା ପାଇଛନ୍ତି ପ୍ରାଚୁର୍ଯ୍ୟ। ଆଉ ଏହି ଖବର ପରେ ପରିବାରଠୁ ଆରମ୍ଭ କରି ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି ।

ପ୍ରାଚୁର୍ଯ୍ୟ ୨୦୧୮ ମସିହାରେ ଆନ୍ତର୍ଜାତିକ ଚେସ ଖେଳରେ ରୌପ୍ୟ ପଦକ ପାଇ ଦେଶ ପାଇଁ ଗର୍ବ ଆଣିଥିଲେ । ତାଙ୍କ ବାପା ରବି ରଞ୍ଜନ ପ୍ରଧାନ, ବୁଡେନ ନୂଆପଡା ଜିଲ୍ଲା ବିଜୁ ପଟ୍ଟନାୟକ କଲେଜରେ ଅଧ୍ୟାପକ ଅଛନ୍ତି । ଆଉ ପ୍ରାଚୁର୍ଯ୍ୟଙ୍କ ମାତା ହେଉଛନ୍ତି ଜଣେ ଗୃହିଣୀ । ପୁଅର ଏହି ସଫଳତା ପରେ ସେମାନେ ମଧ୍ୟ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଆଗକୁ ଜୀବନରେ ସେ ବହୁତ ଭଲ କରୁ ବୋଲି କହିଛନ୍ତି ପରିବାର ବର୍ଗ।
ତେବେ ତାଙ୍କର ଏହି ସଫଳତାର ଶ୍ରେୟ ପରିବାର ଲୋକଙ୍କୁ ଦେଇଛନ୍ତି ପାଚୁର୍ଯ୍ୟ । ଘର ଲୋକଙ୍କ ସହାୟତା ହେତୁ ସେ ଏହି ସ୍ଥାନରେ ପହଞ୍ଚିଥିବା କହିଛନ୍ତି । ଏହାସହ ସେ ତାଙ୍କ ସଫଳତାକୁ ଓଡିଶାରେ ଥିବା ଦୃଷ୍ଟିବାଧିତ କମ୍ୟୁନିଟିକୁ ସମର୍ପଣ କରିଛନ୍ତି । ବର୍ତ୍ତମାନ ଏମ.କମ କରି ସେ ଏବେ ଓଏମସି ଭୁବନେଶ୍ୱରରେ ଚାକିରୀ କରୁଛନ୍ତି । ଏହାସହ ସେ ନିକଟରେ ଏନଇଟି ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇ ରେଭେନ୍ସା ୟୁନିଭରସିଟିରେ ପିଏଚଡି ମଧ୍ୟ କରୁଛନ୍ତି ।
ତେବେ ଦୃଷ୍ଟି ବାଧିତ ଲୋକଙ୍କୁ ଏବେ ବି ସମାଜରେ ଭିନ୍ନ ଦୃଷ୍ଟିରେ ଦେଖୁଥିବାବେଳେ ଏମିତି ଜଣେ ଯୁବକ ଏବେ ଓଏସ ପାଇଛନ୍ତି । ଆଉ ଲୋକଙ୍କ ସେବାରେ ସେ ନିଜକୁ ନିୟୋଜିତ କରିବାକୁ ଯାଉଛନ୍ତି । ଯାହା ସମାଜ ପାଇଁ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିବା ସହ ସମସ୍ତଙ୍କୁ ପ୍ରେରଣା ଯୋଗାଇଛି ।
