ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ରାହୁଲ ଗାନ୍ଧୀଙ୍କ ରାଜନୈତିକ ଅପରିପକ୍ୱତା ଓ କାର୍ଯ୍ୟକଳାପ ଯୋଗୁଁ ହିଁ ଇଣ୍ଡିଆ ମେଣ୍ଟ ଦୁର୍ବଳ ହେବାରେ ଲାଗିଛି । ତେବେ ଏନେଇ ଡିଏମକେର ଅଫିସିଆଲ୍ ସମ୍ବାଦପତ୍ର ‘ମୁରସୋଲି’ର ଏକ ସମ୍ପାଦକୀୟରେ ସିଧାସଳଖ ଅଭିଯୋଗ କରାଯାଇଛି। ସମ୍ପାଦକୀୟ ଅନୁଯାୟୀ, ନିକଟରେ ଅନୁଷ୍ଠିତ ଏକ ବିରୋଧୀ ବୈଠକରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ କେବଳ ଡିଏମକେ ନୁହେଁ, ବରଂ ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ ବାମପନ୍ଥୀ ଦଳ ଭଳିପ୍ରମୁଖ ସହଯୋଗୀମାନେ ମଧ୍ୟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ କଂଗ୍ରେସର ଆଭିମୁଖ୍ୟ ମେଣ୍ଟର ଏକତାକୁ ନଷ୍ଟ କରୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି। ବିଶେଷ କରି ତାମିଲନାଡୁରେ ୨୦୨୬ ବିଧାନସଭା ନିର୍ବାଚନ ପରେ କଂଗ୍ରେସ, ଅଭିନେତାରୁ ରାଜନେତା ବନିଥିବା ବିଜୟଙ୍କ ‘ତାମିଲଗା ଭେଟ୍ରି କାଝାଗାମ’ (ଟିଭିକେ) ନେତୃତ୍ୱାଧୀନ ସରକାର ସହ ହାତ ମିଳାଇ ଡିଏମକେ ପିଠିରେ ଛୁରୀ ମାରିଥିବାରୁ ଏବଂ କେରଳରେ ବାମପନ୍ଥୀ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ବିରୋଧରେ ବିଜେପି ସହ ସମ୍ପର୍କ ଥିବା ଭଳି ମନ୍ତବ୍ୟ ଦେଇଥିବାରୁ, ରାହୁଲ ମେଣ୍ଟ ଭିତରେ ‘ଅମୃତ ବଦଳରେ ବିଷ ମନ୍ଥନ’ କରୁଛନ୍ତି ବୋଲି ଡିଏମକେ କଠୋର ଶବ୍ଦରେ ନିନ୍ଦା କରିଛି।
ଏହି ସମ୍ପାଦକୀୟ ପ୍ରକାଶ ପାଇବା ପରେ ଜାତୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି, କାରଣ ଏହା ଦର୍ଶାଉଛି ଯେ କଂଗ୍ରେସ ପ୍ରତି ଆଞ୍ଚଳିକ ଦଳଗୁଡ଼ିକର ଅସନ୍ତୋଷ ଏବେ କେବଳ ଗୋଟିଏ ରାଜ୍ୟରେ ସୀମିତ ନାହିଁ। ଡିଏମକେ ଅଭିଯୋଗ କରିଛି ଯେ ଯେଉଁ ରାଜ୍ୟରେ ସ୍ଥାନୀୟ ଆଞ୍ଚଳିକ ଦଳଗୁଡ଼ିକ ବିଜେପିକୁ ଟକ୍କର ଦେବା ପାଇଁ ଶକ୍ତିଶାଳୀ ସ୍ଥିତିରେ ଅଛନ୍ତି, ସେଠାରେ କଂଗ୍ରେସ ସେମାନଙ୍କୁ ସହଯୋଗ କରିବା ପରିବର୍ତ୍ତେ ସେମାନଙ୍କର ସ୍ଥିତି ଦୁର୍ବଳ କରିବାକୁ ଚେଷ୍ଟା କରୁଛି।
