ନୂଆଦିଲ୍ଲୀ: ଗତ ୯ ତାରିଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭାରତର ଏକ କ୍ଷେପଣାସ୍ତ୍ର ଉତ୍କ୍ଷେପଣ ହୋଇ ପାକିସ୍ତାନ ଅଞ୍ଚଳରେ ପଡ଼ିଥିବା ଘଟଣାର ତଦନ୍ତ ଶେଷ । ଏଭଳି ଭୁଲ ପାଇଁ ଏକାଧିକ ବାୟୁସେନା ଅଧିକାରୀ ଦାୟୀ ଥିବା ଭାଇସ୍ ଏୟାର ମାର୍ସାଲ୍ ଆର.କେ ସିହ୍ନାଙ୍କ ତଦନ୍ତରୁ ଜଣାପଡ଼ିଛି।
ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ପାକିସ୍ତାନକୁ ଭୁଲବଶତଃ କ୍ଷେପଣାସ୍ତ୍ର ଉତକ୍ଷେପଣ ପଛରେ ଏକାଧିକ ବାୟୁସେନା ଅଧିକାରୀ ଦାୟୀ ବୋଲି ଭାଇସ୍ ଏୟାର ମାର୍ସାଲ୍ ଆର.କେ ସିହ୍ନାଙ୍କ ଅନୁସନ୍ଧାନରୁ ଜଣାପଡିଛି। ଏହି ଭୁଲ୍ କରିଥିବା ଅଧିକାରୀଙ୍କ ବିରୋଧରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ଗତ 9 ତାରିଖରେ ଭାରତର ଏକ କ୍ଷେପଣାସ୍ତ୍ର ପାକିସ୍ତାନ ସୀମାରେ ପଡ଼ିଥିଲା । ଏହି ଅଘଟଣରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ, କେହିବି ମୃତାହତ ହୋଇନଥିଲେ । କିନ୍ତୁ ଭାରତ ନିଜର ଏହି ଭୁଲ୍ କୁ ସ୍ବୀକାର କରିବା ସହ ଦୁଃଖ ପ୍ରକାଶ କରିଥିଲା । ଏଥିସହ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଘୋଷଣା କରିଥିଲା। ଏବେ ତଦନ୍ତ ଶେଷ ହୋଇଥିବା ଜଣାପଡ଼ିଛି । ଅପରପକ୍ଷେ, ପୂର୍ବରୁ ଏହି ଘଟଣାକୁ ନେଇ ପାକିସ୍ତାନ ବୈଦେଶିକ ବିଭାଗ ପକ୍ଷରୁ ବିବୃତି ଜାରି କରି କୁହାଯାଇଥିଲା ଯେ କ୍ଷେପଣାସ୍ତ୍ର ପରିଚାଳନାରେ ଭାରତର ଏଭଳି ଗୁରୁତର ତ୍ରୁଟି କୌଣସି ପରିସ୍ଥିତିରେ ବି ଗ୍ରହଣୀୟ ନୁହେଁ। ଏହାକୁ କେବଳ ବୈଷୟିକ ତ୍ରୁଟି ବୋଲି କହିଦେଲେ ଚଳିବ ନାହିଁ। ଏକ୍ଷେତ୍ରରେ ଅନେକ ଗୁରୁତର ତ୍ରୁଟି ରହିଛି। ତେଣୁ ଏହାର ବ୍ୟାପକ ତଦନ୍ତ ହେବା ଦରକାର। କ୍ଷେପଣାସ୍ତ୍ର ପାକିସ୍ତାନ ସୀମାରେ ପଡ଼ିଥିବାରୁ ଏହି ତଦନ୍ତରେ ପାକିସ୍ତାନକୁ ମଧ୍ୟ ସାମିଲ କରାଯାଉ। ପରମାଣୁ ପରିବେଶରେ ଭାରତର ଏଭଳି ଖାମଖିଆଲି ମନୋଭାବ ପ୍ରତି ଆନ୍ତର୍ଜାତିକ ସମୁଦାୟ ଗୁରୁତ୍ବର ସହ ନେବା ଉଚିତ ବୋଲି ପାକିସ୍ତାନ ଦାବି କରିଥିଲା। ଭାରତର ଏହି ସୁପରସୋନିକ କ୍ଷେପଣାସ୍ତ୍ର ଉଭୟ ଦେଶର ବେସାମରିକ ବିମାନ ସେବା ପ୍ରତି ବିପଦ ସୃଷ୍ଟି କରିଥିଲା ବୋଲି ପାକିସ୍ତାନ ଅଭିଯୋଗ କରିଥିଲା। ଏହାସହିତ ପାକିସ୍ତାନ ଇସଲାମାବାଦ ସ୍ଥିତି ଭାରତୀୟ ହାଇକମିସନରଙ୍କୁ ଡାକି ଏହି ଘଟଣାର ଅଭିଯୋଗ ମଧ୍ୟ କରିଥିଲା ।
