ନୟାଗଡ଼ରେ ରୋଚକ ଲଢେଇ; ଅରୁଣ ସାହୁଙ୍କୁ ଚେକ୍ ଦେଇପାରିବେ ତ ବିରୋଧୀ ?

ଭୁବନେଶ୍ୱର,୨୨/୪(ସତ୍ୟପାଠ ବ୍ୟୁରୋ): ନୟାଗଡ଼ ବିଧାନସଭା ଆସନରେ ଏଥର ରୋଚକ ଲଢ଼େଇ । ଏହି ଆସନରେ ତିନି ପ୍ରମୁଖ ଦଳ ନିଜର ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ, ଏବେ ସମସ୍ତେ ପ୍ରଚାର ଆରମ୍ଭ କରିଦେଲେଣି। ବିଶେଷ କରି ନୟାଗଡରୁ ଲଗାତାର ଭାବେ ଜିତି ଆସୁଥିବା ବିଜେଡି ପ୍ରାର୍ଥୀ ଅରୁଣ ସାହୁଙ୍କୁ ଘେରିବାକୁ ଦୁଇ ବିରୋଧୀ ଦଳର ପ୍ରାର୍ଥୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ଅନ୍ୟପ‌ଟେ, ପ୍ରତିଥର ପରି ଏଥର ମଧ୍ୟ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ କସରତ ଚଳାଇଛନ୍ତି  ଅରୁଣ।

ଚଳିତ ନିର୍ବାଚନରେ ବିଜେପି ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କୁ ପ୍ରାର୍ଥୀ କରିଥିବା ବେଳେ ଓ କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶଙ୍କୁ ଟିକେଟ୍ ଦେଇଛି। ଟିକେଟ ଘୋଷଣା ପରେ ଏବେ ପ୍ରାର୍ଥୀମାନେ ଗାଁ ଗାଁ ବୁଲି ନିଜ ସପକ୍ଷରେ ଭୋଟ୍ ମାଗିବା ଆରମ୍ଭ କଲେଣି। ପ୍ରଚାରରେ ବିଜେଡି ଓ ବିଜେପି ଆଗରେ ରହିଥିବା ବେଳେ ବିଳମ୍ବରେ ଟିକେଟ୍ ପାଇଥିବା କଂଗ୍ରେସ ପ୍ରାର୍ଥୀ ରଣଜିତ ଏବେ ଯୋଜନା ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇବା ଆରମ୍ଭ କରିଛନ୍ତି।

ତେବେ ବିଜେପିରୁ ପ୍ରାର୍ଥୀ ‌ହୋଇଥିବା ପ୍ରତ୍ୟୁଷା ନିର୍ବାଚନ ମଇଦାନରେ ନୂଆ ନୁହନ୍ତି। ପୂର୍ବରୁ ସେ ବିଜେଡି ଟିକେଟରେ କନ୍ଧମାଳ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ମାତ୍ର ବର୍ତ୍ତମାନ ବିଧାନସଭା କ୍ଷେତ୍ରରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି। ପ୍ରତ୍ୟୁଷାଙ୍କ ସ୍ବାମୀ ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ଦେହାନ୍ତ ପରେ ପ୍ରତ୍ୟୁଷା ଏବେ ରାଜନୀତିର ମଙ୍ଗ ଧରିଛନ୍ତି। ଗତ ସାଧାରଣ ନିର୍ବାଚନକୁ ଦେଖିଲେ ନୟାଗଡରେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଗତଥର ଅରୁଣଙ୍କ ବିରୋଧରେ ବିଜେପିର ଇରାନୀ ରାଏ ପ୍ରାର୍ଥୀ ହୋଇଥିଲେ | ହେଲେ ଏଥର ସମୀକରଣ ବଦଳିଛି | ନିର୍ବାଚନ ପୂର୍ବରୁ ଇରାନୀ ଏବେ ବିଜେଡିରେ ଯୋଗଦେଇଛନ୍ତି | ତେଣୁ ଏଥର ନୟାଗଡ଼ ନୂଆ ସମୀକରଣ ସହିତ ରୋଚକ ଲଢେଇ ଦେଖିବ ବୋଲି କୁହାଯାଉଛି | ଇରାନୀଙ୍କୁ ନିଜ ଦଳକୁ ଆଣି ବିଜୟ ନେଇ ଅରୁଣ କନଫିଡେଣ୍ଟ ଅଛନ୍ତି | ଅନ୍ୟପଟେ, ଭୋଟର ଏଥର ପରିବର୍ତ୍ତନ ଚାହୁଁଥିବାରୁ ବିଜେପିକୁ ଭୋଟ୍ ଦେବେ ବୋଲି ପ୍ରତ୍ୟୁଷାଙ୍କ ସହଯୋଗୀମାନେ ଆଶା ରଖିଛନ୍ତି। ସେପଟେ କଂଗ୍ରେସ ପ୍ରାର୍ଥୀ ରଣଜିତ ନୟାଗଡ଼ ମାଟିର ପୁଅ ହୋଇଥିବାରୁ ତାଙ୍କୁ ଭୋଟର ପସନ୍ଦ କରିବେ ବୋଲି ଆଶା ପ୍ରକଟ କରିଛନ୍ତି। ତେବେ ଚଳିତ ନିର୍ବାଚନରେ ନୟାଗଡ଼ର ଭୋଟର କାହା ଉପରେ ଆସ୍ଥା ପ୍ରକଟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା |

Related Posts