ଆଇପିଏଲ ମିନି ଅକ୍ସନ; ଗ୍ରୀନଙ୍କୁ ୧୭.୫୦ କୋଟିରେ ମୁମ୍ବାଇ ଓ ଷ୍ଟୋକ୍ସଙ୍କୁ ୧୬.୨୫ କୋଟିରେ କିଣିଲା ଚେନ୍ନାଇ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜିଠାରୁ କୋଚିରେ ଆରମ୍ଭ ହୋଇଥିବା ଆଇପିଏଲ ମିନି ଅକ୍ସନରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ଅଲରାଉଣ୍ଡରମାନଙ୍କ ଚାହିଦା ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଯୁବ ଅଲରାଉଣ୍ଡର କ୍ୟାମେରନ ଗ୍ରୀନ ଚଳିତ ଆଇପିଏଲ ଅକ୍ସନର ଦ୍ୱିତୀୟ ବ୍ୟୟ ବହୁଳ କ୍ରିକେଟର ବନିଛନ୍ତି। ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ସାମ କୁରାନ ରେକର୍ଡ ୧୮.୫୦ କୋଟିରେ ବିକ୍ରି ହୋଇଥିବା ବେଳେ ଗ୍ରୀନ ୧୭.୫୦ କୋଟି ଟଙ୍କାରେ କିଣା ହୋଇଛନ୍ତି।

ଗ୍ରୀନଙ୍କୁ ୧୭.୫୦ କୋଟି ଟଙ୍କାରେ ୫ଥରର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ନିଜର ଦଳରେ ସାମିଲ କରିଛି। ତେବେ ତାଙ୍କୁ କିଣିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଆଗ୍ରହ ଦେଖାଇଥିଲା। ଏଥିପାଇଁ ଦୁଇ ପ୍ରାଞ୍ଚାଇଜ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଶେଷରେ ମୁମ୍ବାଇ ଗ୍ରୀନଙ୍କୁ ୧୭.୫୦ କୋଟି ଟଙ୍କାରେ କିଣିଛି।

ସେହିପରି ଇଂଲଣ୍ଡ ଟିମର ଅନ୍ୟତମ ଅଲରାଉଣ୍ଡର ବେନ ଷ୍ଟୋକ୍ସ ପୁଣିଥରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ କ୍ୟାମ୍ପକୁ ଫେରିଛନ୍ତି। ୨୦୧୬ରେ ଧୋନି ଓ ଷ୍ଟୋକ୍ସ ଏକାଠି ପୁଣେ ସୁପରଜିଆଣ୍ଟସ ପକ୍ଷରୁ ଖେଳୁଥିଲେ। ଏହାପରେ ଷ୍ଟୋକ୍ସ ରାଜସ୍ଥାନ ରୟାଲ୍ସକୁ ଚାଲି ଯାଇଥିଲେ ଓ ଧୋନି ଚେନ୍ନାଇକୁ ଫେରିଥିଲେ । ହେଲେ ୨୦୨୩ ଆଇପିଏଲର ମିନି ଅକ୍ସନରେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧୬.୨୫ କୋଟି ଟଙ୍କାରେ ବେନ ଷ୍ଟୋକ୍ସଙ୍କୁ କିଣିଛି। ଆଜିର ମିନି ଅକ୍ସନ ବେଳେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଷ୍ଟୋକ୍ସଙ୍କୁ ନେବାକୁ ଚେଷ୍ଟା କରିଥିଲା। ରାଜସ୍ଥାନ ରୟାଲ୍ସ ଓ ହାଇଦ୍ରାବାଦ ମଧ୍ୟ ତାଙ୍କୁ କିଣିବାକୁ ଆଗ୍ରହ ଦେଖାଇଥିଲେ। କିନ୍ତୁ ସମସ୍ତଙ୍କୁ ମାତ ଦେଇ ଚେନ୍ନାଇ ଷ୍ଟୋକ୍ସଙ୍କୁ ନିଜ ସହ ସାମିଲ କରିଛି।

Related Posts