ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ମୋହନ ମାଝି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ନିକଟାସନ୍ନ ହେଉଥିବା ବେଳେ ସରକାରୀ କାର୍ଯ୍ୟଦକ୍ଷତା ଓ ମନ୍ତ୍ରୀମଣ୍ଡଳର ପରିଚାଳନାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ହାତରେ ଥିବା କୃଷି ଓ ଶକ୍ତି ବିଭାଗର କାର୍ଯ୍ୟପଦ୍ଧତି ଏବେ ସରକାର ପାଇଁ ବଡ଼ ମୁଣ୍ଡବଥାର କାରଣ ହୋଇଥିବା ନେଇ ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି। ମନ୍ତ୍ରୀମଣ୍ଡଳ ଅଦଳବଦଳ ପୂର୍ବରୁ ପୁରୁଣା ମନ୍ତ୍ରୀମାନଙ୍କର କାର୍ଯ୍ୟଦକ୍ଷତାର ସମୀକ୍ଷା ଚାଲିଥିବା ବେଳେ କେ.ଭି. ସିଂହଦେଓଙ୍କ ବିଭାଗକୁ ନେଇ ଅଧିକ ଅସନ୍ତୋଷ ଦେଖାଦେଇଥିବା କୁହାଯାଉଛି।
କୃଷି ବିଭାଗକୁ ନେଇ ସମ୍ପ୍ରତି ହୋଇଥିବା କିଛି ବକ୍ତବ୍ୟ ସରକାରଙ୍କୁ ଅସଜଜ୍ଜ ଅବସ୍ଥାରେ ପକାଇଛି। କୃଷକମାନଙ୍କ ଆନ୍ଦୋଳନକୁ “ଡ୍ରାମା” ଓ “ନଟଙ୍କି” ବୋଲି କୁହାଯାଇଥିବା ଅଭିଯୋଗକୁ ନେଇ ବିପକ୍ଷ ଦଳ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି। ସେହିପରି କୃଷି ପ୍ରଣାଳୀ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମନ୍ତ୍ରୀଙ୍କ କିଛି ମତାମତ ମଧ୍ୟ ବିବାଦ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି। ଏହାର ପ୍ରଭାବ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେପି କର୍ମୀ ଓ ନେତାମାନଙ୍କୁ ଭୋଗିବାକୁ ପଡ଼ିପାରେ ବୋଲି ରାଜନୈତିକ ମହଳରେ ମତ ପ୍ରକାଶ ପାଉଛି।
ଅନ୍ୟପଟେ ଶକ୍ତି ବିଭାଗକୁ ନେଇ ମଧ୍ୟ ସରକାର ଭାରି ଚାପରେ ରହିଛନ୍ତି। ଭୟଙ୍କର ଗ୍ରୀଷ୍ମ ତାପମାତ୍ରା ମଧ୍ୟରେ ବିଭିନ୍ନ ସ୍ଥାନରେ ଅଘୋଷିତ ଓ ଘୋଷିତ ବିଦ୍ୟୁତ କାଟ ଲୋକଙ୍କ ଅସନ୍ତୋଷକୁ ବଢ଼ାଇଦେଇଛି। ଏହି ପରିସ୍ଥିତିରେ “ଏସି ବ୍ୟବହାର କମ କରନ୍ତୁ” ବୋଲି ମନ୍ତ୍ରୀଙ୍କ ପରାମର୍ଶ ସାଧାରଣ ଲୋକଙ୍କ ମଧ୍ୟରେ ଆହୁରି ଅସନ୍ତୋଷ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି। ବିପକ୍ଷ ଓ ସମାଲୋଚକମାନେ କହୁଛନ୍ତି ଯେ, ଏହା ଶକ୍ତି ସଙ୍କଟର ମୂଳ ସମସ୍ୟାକୁ ଆଡକୁ ରଖିବାର ଚେଷ୍ଟା।
‘ଚାହିଦା ଅନୁଯାୟୀ ବିଦ୍ୟୁତ କିଣାଯାଉନି’ ଅଭିଯୋଗ:
ରାଜ୍ୟରେ ପିକ୍ ଆୱାରରେ ପ୍ରାୟ ୮୦୦୦ ମେଗାୱାଟ୍ ବିଦ୍ୟୁତ ଚାହିଦା ଥିବା ବେଳେ ବିତରଣ କମ୍ପାନୀମାନେ ତାଠାରୁ କମ ବିଦ୍ୟୁତ କିଣୁଥିବା ଅଭିଯୋଗ ଉଠିଛି। ଏହା ଫଳରେ ରାଜ୍ୟରେ ବିଦ୍ୟୁତ ସଙ୍କଟ ଆହୁରି ଗଭୀର ହେଉଥିବା କୁହାଯାଉଛି।ସମାଲୋଚକମାନଙ୍କ ଅଭିଯୋଗ ଯେ, ଲାଭ ବଢ଼ାଇବା ପାଇଁ ବିଦ୍ୟୁତ କମ କିଣାଯାଉଛି, କିନ୍ତୁ ଉପଭୋକ୍ତାଙ୍କଠାରୁ ଉଚ୍ଚ ଦରରେ ଅର୍ଥ ଆଦାୟ ହେଉଛି। ରାଜ୍ୟର ବିଦ୍ୟୁତ ବିତରଣ ବ୍ୟବସ୍ଥାରେ ଟାଟା ପାୱାରର ଭୂମିକାକୁ ନେଇ ମଧ୍ୟ ବିଭିନ୍ନ ମହଳରେ ପ୍ରଶ୍ନ ଉଠୁଛି। ବିଦ୍ୟୁତ କର୍ମଚାରୀମାନଙ୍କ ଆନ୍ଦୋଳନ, ସେବା ସର୍ତ୍ତାବଳୀ ଓ ଉପଭୋକ୍ତା ସେବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ସ୍ମାର୍ଟ ମିଟର ବ୍ୟବସ୍ଥାକୁ ନେଇ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ଆଶଙ୍କା ଓ ଅସନ୍ତୋଷ ବଢୁଥିବା କୁହାଯାଉଛି।
OERC ରେ ଅଚଳାବସ୍ଥା:
ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ରେ ଦୁଇଜଣ ସଦସ୍ୟ ନଥିବା ଓ ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ହଠାତ୍ ପଦତ୍ୟାଗକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି। ତିନି ସଦସ୍ୟ ବିଶିଷ୍ଟ ଆୟୋଗରେ ବର୍ତ୍ତମାନ ମାତ୍ର ଜଣେ ସଦସ୍ୟ ଥିବାରୁ ଶୁଣାଣି ଓ ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ଆସୁଛି। ପ୍ରଦୀପ ଜେନାଙ୍କ ପଦତ୍ୟାଗ ପଛରେ ବିଭିନ୍ନ ରାଜନୈତିକ ଓ କର୍ପୋରେଟ୍ ଚାପ ଥିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି, ଯଦିଓ ଏନେଇ ସରକାରୀ ସ୍ତରରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଆସିନାହିଁ।
ମନ୍ତ୍ରୀମଣ୍ଡଳ ଅଦଳବଦଳ ପୂର୍ବରୁ ଚାପରେ ସରକାର:
ରାଜ୍ୟରେ ବିଦ୍ୟୁତ ସଙ୍କଟ, କୃଷକ ଅସନ୍ତୋଷ ଓ ପ୍ରଶାସନିକ ଅଚଳାବସ୍ଥାକୁ ନେଇ ସରକାର ଉପରେ ଚାପ ବଢ଼ୁଛି। ଆଗାମୀ ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ମୋହନ ମାଝି ସରକାରଙ୍କୁ ଏହି ସବୁ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।
