ଶ୍ରୀହରିକୋଟା:ଇସ୍ରୋ ସବୁଠୁ ଭାରି ଓଜନ LVM-3-M2/ଓ୍ଵାନଓ୍ଵେବ ଇଣ୍ଡିଆ-୧ର ସଫଳ ଉତକ୍ଷେପଣ କରିଛି । ଶନିବାର ଏବଂ ରବିବାର ମଧ୍ୟରାତ୍ରି ୧୨ଟା୭ରେ ଆନ୍ଧ୍ରର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ଏଲଭିଏମ୩-ଏମ୨କୁ ଉତକ୍ଷେପଣ କରାଯାଇଛି। ବ୍ରିଟେନ୍ ସ୍ଥିତ ଗ୍ରାହକର ସମସ୍ତ ୩୬ ବ୍ରଡବ୍ୟାଣ୍ଡ ସଞ୍ଚାର ଉପଗ୍ରହକୁ ନିର୍ଦ୍ଧାରିତ କକ୍ଷପଥରେ ସଫଳତାର ସହ ସ୍ଥାପିତ କରାଯାଇଛି।
ପ୍ରାୟ ୪୩.୫ ମିଟର ଲମ୍ବ ରକେଟ୍ ୩୬ ବ୍ରଡବ୍ୟାଣ୍ଡ ସଞ୍ଚାର ଉପଗ୍ରହକୁ ନେଇ ଉଡାଣ ଭରିଥିଲା। ଏହାର ଓଜନ ୬୪୪ ଟନ୍। ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଥ ରକେଟ୍ ଉତକ୍ଷେପଣ ସଫଳତା ପାଇଁ ଶନିବାର ସକାଳେ ତିରୁପତି ଜିଲ୍ଲାର ସୁଲ୍ଲୁରପେଟାରେ ଶ୍ରୀ ଚେଙ୍ଗଲମ୍ମା ପରମେଶ୍ଵରୀ ଦେବୀ ମନ୍ଦିରରେ ଏକ ସ୍ଵତନ୍ତ୍ର ପୂଜା କରିଥିଲେ।
ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ରକେଟ୍ର ସଫଳପୂର୍ବକ ଉତକ୍ଷେପଣ ପରେ କହିଛନ୍ତି ଯେ, ଆମେ ଆଗରୁ ହିଁ ଦୀପାବଳି ଉତ୍ସବ ଆରମ୍ଭ କରି ଦେଲୁ। ୩୬ ଉପଗ୍ରହ ମଧ୍ୟରୁ ୧୬ ଉପଗ୍ରହ ପ୍ରଥମେ ସଫଳତାପୂର୍ବକ ନିଜ କକ୍ଷ ପଥରେ ସ୍ଥାପିତ ହୋଇଥିଲା। ପରେ ଅବଶିଷ୍ଟ ୨୦ ଉପଗ୍ରହ ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ ହୋଇଛି।
ରକେଟ୍ ଏଲଭିଏମ୩ର ଏହା ପ୍ରଥମ ବ୍ୟବସାୟିକ ଉପଗ୍ରହ ପ୍ରକ୍ଷେପଣ। ଏଥିସହିତ ଏଲଭିଏମ୩-ଏମ୨ ୩୬ ଉପଗ୍ରହ, ୫୭୯୬ କିଲୋଗ୍ରାମ ପର୍ଯ୍ୟନ୍ତ ପେଲୋଡ ସହିତ ମହାକାଶକୁ ଉତକ୍ଷେପଣ ହେବାରେ ପ୍ରଥମ ଭାରତୀୟ ରକେଟ୍ ହୋଇ ପାରିଛି। ଭାରତର ଭାରତୀ ଏଣ୍ଟରପ୍ରାଇଜେସ୍ ଓ୍ଵାନଓ୍ଵେବ ଏହାର ପ୍ରମୁଖ ନିବେଶକ ।
