ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): NEET-UG 2026 ପରୀକ୍ଷା ରଦ୍ଦ ହେବା ପରେ ଏନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ସୁପର-୩୦ ପ୍ରତିଷ୍ଠା ଆନନ୍ଦ କୁମାରଙ୍କ ବୟାନ ସାମ୍ନାକୁ ଆସିଛି । ତେବେ କୋଚିଂ ସେଣ୍ଟରଗୁଡ଼ିକର କଠୋର ନିୟନ୍ତ୍ରଣ ଏବଂ ପରୀକ୍ଷା ବ୍ୟବସ୍ଥାରେ ଦୃଢ଼ ସୁରକ୍ଷା ବ୍ୟବସ୍ଥା ପାଇଁ ସେ ଆହ୍ୱାନ ଦେଇଛନ୍ତି। କମ୍ପେଟେଟିଭ୍ (ପ୍ରତିଯୋଗିତାମୂଳକ) ପରୀକ୍ଷା ସମ୍ପର୍କରେ ଏଭଳି ବାରମ୍ବାର ଅନିୟମିତତା ଛାତ୍ରଛାତ୍ରୀମାନଙ୍କୁ ହତାଶ କରିଥାଏ ବୋଲି ଆନନ୍ଦ କୁମାର କହିଛନ୍ତି। ପରୀକ୍ଷାରେ ହେଉଥିବା ଅନିୟମିତତାକୁ ଦୃଷ୍ଟିରେ ରଖି ସେ ଦେଶର ଶିକ୍ଷା ବ୍ୟବସ୍ଥା ଏବଂ କୋଚିଂ ମାଫିଆଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଆନନ୍ଦ କୁମାର କହିଛନ୍ତି ଯେ, ବର୍ତ୍ତମାନର କୋଚିଂ ସେଣ୍ଟରଗୁଡ଼ିକ ଶିକ୍ଷାକୁ ଏକ ବ୍ୟବସାୟରେ ପରିଣତ କରିଛନ୍ତି। ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଯେଉଁ କୋଚିଂ ସେଣ୍ଟରଗୁଡ଼ିକ ଏହିପରି ଅନିୟମିତତା କିମ୍ବା ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂଶ୍ଳିଷ୍ଟ ଅଛନ୍ତି, ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେ ଚୀନ୍ ଭଳି କଠୋର ନିୟମ ପ୍ରଣୟନ କରିବାକୁ ପରାମର୍ଶ ଦେଇଛନ୍ତି, ଯେଉଁଠାରେ ବ୍ୟକ୍ତିଗତ କୋଚିଂ ସେଣ୍ଟରଗୁଡ଼ିକ ଉପରେ କଟକଣା ଲଗାଯାଇଛି। ଆନନ୍ଦ କୁମାର ଛାତ୍ରଛାତ୍ରୀଙ୍କ ମନବଳ ମଜଭୁତ ରଖିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି “ଭଲ କଥା ହେଉଛି ଯେ ଅଭିଯୁକ୍ତମାନେ ଧରାପଡ଼ିଛନ୍ତି।

ମୁଁ ଛାତ୍ରମାନଙ୍କୁ ଦୃଢ଼ ରହିବାକୁ ଏବଂ ଆଶାବାଦୀ ରହିବାକୁ ପରାମର୍ଶ ଦେବି,କାରଣ ସେମାନଙ୍କୁ ଆଉ ଏକ ସୁଯୋଗ ମିଳିଛି।” ତେବେ ଏଭଳି କାଣ୍ଡ କରିଥିବା ଅଭିଯୁକ୍ତଙ୍କୁ ଧରାଯାଇଛି, ତାହା ବଡ଼କଥା ବୋଲି ସେ କହିଛନ୍ତି।ନିଟ୍ ପରୀକ୍ଷାରେ ହୋଇଥିବା ବ୍ୟାପକ ଜାଲିଆତିର ପର୍ଦ୍ଦାଫାଶ କରିବା ପାଇଁ ସେ ଏକ ଉଚ୍ଚସ୍ତରୀୟ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି। ସେ କହିଛନ୍ତି ଯେ, କେବଳ ପରୀକ୍ଷା ବାତିଲ କରିବା ଯଥେଷ୍ଟ ନୁହେଁ, ବରଂ ଏହାର ମୂଳ ପର୍ଯ୍ୟନ୍ତ ପହଞ୍ଚି ଦୋଷୀଙ୍କୁ ଦଣ୍ଡ ଦେବା ଜରୁରୀ। ଏହାଦ୍ୱାରା କଠିନ ପରିଶ୍ରମ କରୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ରହିପାରିବ ବୋଲି କହିଛନ୍ତି ।