ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଗୋଟିଏ ଅଫିସ୍ରେ ୩ ବର୍ଷରୁ ଅଧିକ ରହିଲେ ହେବ ବଦଳି । ରୋଟେସନ୍ ଶୀଘ୍ର ସାରିବାକୁ ନିର୍ଦ୍ଦେଶ । ତେବେ ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ରୋଟେସନ୍ ପ୍ରକ୍ରିୟାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ, ବିଭାଗରେ କାର୍ଯ୍ୟରତ ସେକ୍ସନ ଅଫିସର (SO), ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ (SRA), ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ (JRA) ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ରେଭେନ୍ୟୁ ସୁପରଭାଇଜର (RS), ରେଭେନ୍ୟୁ ଇନ୍ସପେକ୍ଟର (RI), ଅସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର (ARI), ଅମିନ ପ୍ରମୁଖ କର୍ମଚାରୀ ଯେଉଁମାନେ ଗୋଟିଏ କାର୍ଯ୍ୟାଳୟରେ ତିନି ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଅଛନ୍ତି, ସେମାନଙ୍କର ବଦଳି ଓ ରୋଟେସନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ୍, ତହସିଲ କାର୍ଯ୍ୟାଳୟରେ ପ୍ରଶାସନିକ କାର୍ଯ୍ୟଦକ୍ଷତା, ସ୍ୱଚ୍ଛତା ଓ ପାରଦର୍ଶିତା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।
