ଆସନ୍ତା ଦୁଇଦିନ ପ୍ରବଳ ଢାଳିବ ବର୍ଷା

ଭୁବନେଶ୍ୱର : ମହାନଦୀର ଜଳସ୍ତର ଧିରେ ଧିରେ କମିବାରେ ଲାଗିଛି । ହୀରାକୁଦର ଗେଟ୍‌ କ୍ରମଶଃ ବନ୍ଦ ହେବା ସହ ନଦୀର ଜଳସ୍ତର ହ୍ରାସ ପାଉଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ଧିମେଇ ଧିମେଇ ସୁଧୁରୁଛି । କେତେକ ଅଞ୍ଚଳରେ ବନ୍ୟା ପାଣି କମୁଛି, ଆଉ କିଛି ଅଞ୍ଚଳରେ ପାଣି କମିବାର ନାଁ ଧରୁନି । ସେପଟେ ଚିନ୍ତା ବଢ଼ାଇଲାଣି ସମ୍ଭାବ୍ୟ ବର୍ଷା ।

ପାଣିପାଗ ବିଭାଗ ସତର୍କ କରାଇ ଦେଇଛି, ଉତ୍ତର ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଶୁକ୍ରବାର ସକାଳ ସୁଦ୍ଧା ଅବପାତ (ଡିପ୍ରେସନ୍‌) ରୂପ ନେବ । ଏହା ପ୍ରଭାବରେ ଆସନ୍ତା ଦୁଇଦିନ ପ୍ରବଳ ବର୍ଷା ଢାଳିବ । ବୋଝ ଉପରେ ନଳିତା ବିଡ଼ା ଭଳି ବନ୍ୟାରେ କଲବଲ ହେଉଥିବା ଅଞ୍ଚଳରେ ବି ପ୍ରବଳ ବର୍ଷା ଅଜାଡ଼ିବ ।

ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବିଶେଷ କରି ଉତ୍ତର ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜରେ ଶୁକ୍ରବାର ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଛେଚିବ । କେତେକ ଜାଗାରେ ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ଅଜାଡ଼ିପାରେ । ଏହାବାଦ୍‌ ବର୍ତ୍ତମାନ ବନ୍ୟାରେ କଲବଲ ହେଉଥିବା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ସମ୍ବଲପୁର, ସୋନପୁର, ବୌଦ୍ଧ, ଭଦ୍ରକରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ଛେଚିବ । ଏହାବାଦ ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, ବାଲେଶ୍ୱରରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ । ନୟାଗଡ଼, ଖୋର୍ଦ୍ଧା, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା ଓ ପୁରୀରେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି । ଏମିତି ପୂର୍ବାନୁମାନ ଡରାଇଲାଣି ବନ୍ୟା ବିପନ୍ନଙ୍କୁ । ଘରଦ୍ୱାର ହରାଇ ଖୋଲା ଆକାଶ ତଳେ ମୁଣ୍ଡ ଗୁଞ୍ଜିଥିବା ବିପନ୍ନଙ୍କ ଚିନ୍ତା ବଢ଼ିଯାଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଅନୁମାନ କରାଯାଉଛି । ୨୧ରୁ କ୍ରମଶଃ ବର୍ଷା କମିବ ।

ବର୍ଷା ସହ ପବନ ମଧ୍ୟ ବନ୍ୟା ବିପନ୍ନଙ୍କୁ କଲବଲ କରିବ । ପାଣିପାଗ ବିଭାଗର ସୂଚନା ମୁତାବକ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ସହ ପବନ ବେଗ ମଧ୍ୟ ବଢ଼ିବ । ୪୫ରୁ ୫୫ କିମି ବେଗରେ ପବନ ସହ ସ୍ଥଳବିଶେଷରେ ୬୫ କିମି ପର୍ଯ୍ୟନ୍ତ ବେଗ ଛୁଇଁବ । ବନ୍ୟା ପ୍ରଭାବିତ ଅଞ୍ଚଳରେ ଅନେକ ଘର ଓ ଗଛ ଦୁର୍ବଳ ଅବସ୍ଥାରେ ରହିଛି । ପବନରେ ଏଗୁଡ଼ିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ।

ଉତ୍ତର ପୂର୍ବ ବଙ୍ଗୋପସାଗରରେ ଅବପାତ ହେବା ପରେ ଏହା ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଦେଇ ଉତ୍ତର ଛତିଶଗଡ଼ ଉପରକୁ ଯିବ ।ଅର୍ଥାତ୍‌ ଓଡ଼ିଶା ସହ ଛତିଶଗଡ଼ରେ ବି ବର୍ଷା ବଢ଼ିପାରେ । ସମ୍ଭାବ୍ୟ ବର୍ଷା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ବନ୍ୟା ସ୍ଥିତି ସହ ସମ୍ଭାବ୍ୟ ବର୍ଷାଜନିତ ସ୍ଥିତି ମୁକାବିଲା ପାଇଁ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

Related Posts