ନୂଆଦିଲ୍ଲୀ: ଏକ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ମଙ୍ଗଳବାର ସୁପ୍ରିମ୍କୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। କହିଛନ୍ତି ରାୟ ଦେବାକୁ ୧୦ ସେକେଣ୍ଡ ଲାଗିବ ମାତ୍ର ବ୍ୟକ୍ତି ଗୋଟିଏ ସପ୍ତାହ ତା’ର ସ୍ବାଧୀନତା ହରାଇବ ଓ ଜେଲରେ ରହିବ।
ସୂଚନାଯୋଗ୍ୟ, ତଳକୋର୍ଟ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ଡିସେମ୍ବର ୭ ତାରିଖକୁ ସମୟ ଦେଇଥିବା ବେଳେ ତଳକୋର୍ଟଙ୍କ ଆଦେଶ ଉପରେ ୭ ଦିନ ଯାଏ ରହିତାଦେଶ ଦେବା ପାଇଁ ପୀଡ଼ିତା ମଙ୍ଗଳବାର ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ବେଞ୍ଚ କହିଲେ ଯେ, ତଳକୋର୍ଟ ତ ଜାମିନ ଦେଇନାହାନ୍ତି ବା ଦେବେ ବୋଲି କହିନାହାନ୍ତି, ସେ କେବଳ ଶୁଣାଣି କରିବେ ବୋଲି କହିଛନ୍ତି। ତା’ପରେ ତଳକୋର୍ଟର ରାୟରେ ସନ୍ତୁଷ୍ଟ ନ ହେଲେ ମହିଳାଜଣକ ହାଇକୋର୍ଟ ଯାଇପାରନ୍ତି। ଆମକୁ ରାୟ ଦେବାକୁ ୧୦ ସେକେଣ୍ଡ ଲାଗିବ ମାତ୍ର ଅଭିଯୁକ୍ତ ୭ ଦିନ ପାଇଁ ତା’ର ସ୍ବାଧୀନତା ହରାଇବ। ତେଣୁ ବୁଧବାର ତଳକୋର୍ଟ ରାୟ ଦେଲାପରେ ମହିଳାଜଣକ ସେଥିରେ ଅସନ୍ତୁଷ୍ଟ ହେଲେ ସେହି ବୁଧବାର ହିଁ ତା’ ବିରୋଧରେ ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚରେ ଚ୍ୟାଲେଞ୍ଜ କରିପାରିବେ ।
