ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧନଖଡ଼ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଧନଖଡ଼ଙ୍କ ଶପଥପାଠ ଉତ୍ସବ ପାଇଁ ଆଜି ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ଦଳର ନେତାମାନେ ଶପଥପାଠ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେହପରି ବିଦାୟୀ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଉପସ୍ଥିତ ରହିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ୧୯୫୧ ମସିହା ମେ’ ୧୮ରେ ଜନ୍ମ ଗ୍ରହଣ କରିଥିବା ୭୧ ବର୍ଷୀୟ ଜଗଦୀପ ଧନଖଡ଼ଙ୍କ ଘର ରାଜସ୍ଥାନ ଝୁନ୍‌ଝୁନୁରେ। ରାଜସ୍ଥାନ ବିଶ୍ୱବିଦ୍ୟାଳରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏଲ୍‌ଏଲ୍‌ବି କରିଥିଲେ। ଆଡ୍‌ଭୋକେଟ୍ ଭାବେ କ୍ୟାରିୟର ଆରମ୍ଭ କରିଥିବା ଧଡ଼ଖଡ଼ ରାଜସ୍ଥାନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆଇନଜୀବୀ ମଧ୍ୟ ଥିଲେ | ୧୯୮୯ରେ ସେ ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଜନତା ଦଳ ଟିକେଟ୍‌ରେ ସେ ରାଜସ୍ଥାନର ଝୁନ୍‌ଝୁନୁ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ଏହି କାର୍ଯ୍ୟକାଳ ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ରହିଥିଲା। ଏହା ମଧ୍ୟରେ ୧୯୯୦ରୁ ୧୯୯୧ ପର୍ଯ୍ୟନ୍ତ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ମନ୍ତ୍ରିମଣ୍ଡଳରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୩ରେ ସେ କିଶନଗଡ଼ରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ ବିଧାୟକ ରହିଥିଲେ। ଜନତା ଦଳ ଓ କଂଗ୍ରେସ ସହିତ ସଂଶ୍ଲୀଷ୍ଟ ଥିବା ଶ୍ରୀ ଧନଖଡ଼ ୨୦୦୮ରେ ବିଜେପିରେ ଯୋଗ ଦେଇଥିଲେ। ଏହାପରେ ୨୦୧୯ରେ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ଜଗଦୀପ ଧନଖଡ଼ ୨୦୨୨ରେ ଉପ ରାଷ୍ଟ୍ରପତି ପ୍ରାର୍ଥୀ ହେବାରୁ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ।

Related Posts