ଭୁବନେଶ୍ୱର,୨୨/୧୨(ସତ୍ୟପାଠ ବ୍ୟୁରୋ): ଜେଲ୍ ୱାଡେନ୍ ପ୍ରବେଶିକା ପରୀକ୍ଷା ସମୟରେ ବିଭ୍ରାଟ ଯୋଗୁ ଆଶାୟୀଙ୍କ ଅସନ୍ତୋଷ। ସର୍ଭର ଡାଉନ୍ କାରଣରୁ ଆଶାୟୀ ପ୍ରାର୍ଥୀମାନେ ଭଲଭାବେ ପରୀକ୍ଷା ଦେଇପାରି ନାହାନ୍ତି। ପରୀକ୍ଷାର ସମୟ ସୀମା ୨ ଘଣ୍ଟା ଥିବା ବେଳେ ପ୍ରାର୍ଥୀମାନେ ମାତ୍ର ୪୦ ମିନିଟ୍ ପରୀକ୍ଷା ଦେଇଛନ୍ତି। ଫଳରେ ଏହି ପରୀକ୍ଷାକୁ ବାତିଲ୍ କରି ପୁଣି ଥରେ ପରୀକ୍ଷା କରିବାକୁ ସେମାନେ ଦାବି କରିଛନ୍ତି। ସେପଟେ ଅସନ୍ତୁଷ୍ଟ ପ୍ରାର୍ଥୀମାନେ ଅପରାହ୍ନରେ ହେଉଥିବା ଅନ୍ୟ ଏକ ପରୀକ୍ଷାକୁ ମଧ୍ୟ ବନ୍ଦ କରିବାକୁ ଚେଷ୍ଠା କରିଛନ୍ତି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରିର ଘାଟଘର ସାହିରେ ଥିବା ଆର୍କେସିଏଟି ଇଞ୍ଜିନିୟରିଂ କଲେଜ୍ରେ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଗୁରୁବାର ଜେଲ ୱାଡେନ ପ୍ରବେଶିକା ପରୀକ୍ଷା ପାଇଁ ଆର୍କେସିଏଟି ଇଞ୍ଜିନିୟର କଲେଜରେ ଆୟୋଜନ ହୋଇଥିଲା। ଏଥିପାଇଁ ସକାଳେ ପ୍ରାୟ ୨୦୦ରୁ ଅଧିକ ପ୍ରାର୍ଥୀ ପରୀକ୍ଷା ହଲକୁ ଯାଇଥିଲେ। ହେଲେ ସର୍ଭର ନଥିବାରୁ ବହୁ ଡେରିରେ ସେମାନେ ପରୀକ୍ଷା ଦେଇଥିଲେ। କିଛି ପ୍ରାର୍ଥୀ ମାତ୍ର ୨୦ ମିନିଟ ପରୀକ୍ଷା ଦେଇଥିବା ବେଳେ ଅନ୍ୟ କିଛି ୪୦ ମିନିଟ ପରୀକ୍ଷା ଦେଇଥିଲେ। ଏଭଳି ଅବ୍ୟବସ୍ଥା ପାଇଁ ପରୀକ୍ଷାର୍ଥୀମାନେ ଆୟୋଜକଙ୍କୁ ଦାୟୀ କରିଛନ୍ତି। ଏହାସହିତ ସେମାନେ ଅପରାହ୍ନରେ ହେଉଥିବା ଆଉ ଏକ ପରୀକ୍ଷାକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା। ଆଇନ ଶୃଙ୍ଖଳାକୁ ଦୃଷ୍ଟି ଦେଇ ସେଠାରେ ପୋଲିସ ମୁତୟନ ହୋଇଛନ୍ତି। ସେପଟେ ଏପରି ଅବ୍ଯବସ୍ଥା ପାଇଁ ଆୟୋଜକ ତାଙ୍କର ଅସହାୟତା ପ୍ରକାଶ କରିଛନ୍ତି।