ଖରସ୍ରୋତା ନଦୀରେ ମେଗା ପାନୀୟଜଳ ପ୍ରକଳ୍ପକୁ ବିରୋଧ କରି ଜନତା ପୋଲିସ ମୁହାଁମୁହିଁ : ରଣକ୍ଷେତ୍ର ପାଲଟିଲା ପ୍ରକଳ୍ପ ସ୍ଥଳ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :  ପ୍ରକଳ୍ପକୁ ବିରୋଧ କରି ଗର୍ଜିଲେ ସ୍ଥାନୀୟ ଲୋକ। ପ୍ରକଳ୍ପ ସ୍ଥଳକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିବା ସଙ୍ଗେ ସଙ୍ଗେ ପୁଲିସ୍‌ କର୍ମୀଙ୍କୁ ବି ଆକ୍ରମଣ କଲେ ଆନ୍ଦୋଳନକାରୀ। ଆମ୍ବୁଲାନ୍ସ ସମେତ କମ୍ପାନୀର ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ କରି ଦେଇଛନ୍ତି।  ପୁଲିସ୍‌ ଓ ପ୍ରକଳ୍ପକୁ ବିରୋଧ କରୁଥିବା ଜନତାଙ୍କ ମଧ୍ୟରେ  ଏଭଳି ତୁମୁଳକାଣ୍ଡ ଦେଖାଦେଇଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଭାରିଗଦାଠାରେ । 

ଭାରିଗଦାଠାରେ ଖରସ୍ରୋତା ନଦୀରେ ଆରମ୍ଭ ହୋଇଥିବା ମେଗା ପାନୀୟଜଳ ପ୍ରକଳ୍ପକୁ ବିରୋଧ କରିଛି ଖରସ୍ରୋତା ସଂଗ୍ରାମୀ ସମିତି । ଏହି ପ୍ରକଳ୍ପକୁ ପୂର୍ବରୁ ବିରୋଧ ହୋଇ ଆସୁଥିବା ବେଳେ  ୨ ଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ହଠାତ୍‌  ରାଜକନିକା  ନିକଟସ୍ଥ ଭାରିଗଦା,ବାଳକାଟି ଓ ବରୁଣାଡିଆ ଆଦି ତିନୋଟି ପଂଚାୟତରେ ୧୪୪ ଧାରା ଜାରି କରାଯାଇଥିଲା। 

ତେବେ ପୋଲିସର ୧୪୪ ଧାରାକୁ ଵାଦ୍ ଦେଇ  ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ବାସିନ୍ଦା। ରକ୍ତ ଦେବୁ ପଛେ ପ୍ରକଳ୍ପ କରାଇ ଦେବୁ ନାହିଁ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।ମେଗା ଜଳ ପ୍ରକଳ୍ପକୁ ବିରୋଧ କରି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆଜିଠାରୁ ମହାସଂଗ୍ରାମ କରୁଛି ।  ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ, ଏସ୍‌ପି, ୨ ଏସ୍‌ଡିପିଓ ଉପସ୍ଥିତ  ଥିବା ବେଳେ ୧୬ ପ୍ଲାଟୁନ ଫୋର୍ସ ଉପସ୍ଥିତ ଅଛନ୍ତି। ପ୍ରକଳ୍ପକୁ ବିରୋଧ କରି ମହିଳା, ଯୁବକ ,ବୃଦ୍ଧ ସମେତ ପିଲାମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରକଳ୍ପ ସ୍ଥାନରେ ଆନ୍ଦୋଳନକାରୀଙ୍କ ଦ୍ୱାରା ବ୍ୟାପକ ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି । କାର୍ଯ୍ୟରେ ବ୍ୟବହୃତ ଗାଡିକୁ ବି ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । କମ୍ପାନୀ ଯନ୍ତ୍ରାଂଶ ସହ ଆମ୍ବୁଲାନ୍ସ ଭଙ୍ଗାରୁଜା କରିଛନ୍ତି। ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ଜଣେ ପୁଲିସ୍‌ କର୍ମଚାରୀଙ୍କ ସମେତ ଏସ୍‌ଡିପିଓ ଆହତ ହୋଇଛନ୍ତି। ସ୍ଥିତି ଅସମ୍ଭାଳ ହେବାରୁ ଅଧିକ ଫୋର୍ସ ମଗାଯାଇଥିବା ସୂଚନା ରହିଛି। 

ମାମଲା କଣ ? 

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭରିଗଦାରେ ୮୦୦ କୋଟି ଟଙ୍କା ବିନିମୟରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ଅନୁମତି ମିଳିଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ବାରା କେନ୍ଦ୍ରାପଡାର ଖରସ୍ରୋତାରୁ ଭଦ୍ରକ ଜିଲ୍ଲାର ୪ ବ୍ଲକକୁ ପାନୀୟ ଜଳ ଯୋଗାଇ ଦିଆଯିବ।

ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ନଦୀ ପାଣି ଲୁଣା ହୋଇଯିବ ଏବଂ ପାଣି ଅଭାବ ଯୋଗୁଁ ଚାଷ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେବ । ଖରସ୍ରୋତା ସଂଗ୍ରାମୀ ସମିତି କହିଛି ଯେ ଏହା ଦ୍ୱାରା ଜୈବ ବିବିଧତା ନଷ୍ଟ ହୋଇଯିବ। ଏହି ପ୍ରକଳ୍ପକୁ ବିରୋଧ କରି ଗତ ୨ ବର୍ଷ ହେବ ସଭା, ସମିତି, ଧାରଣା ଦିଆ ଯାଉଥିବା ବେଳେ ପ୍ରଶାସନ ସହ ବାରମ୍ବାର ଆଲୋଚନା ବି ବିଫଳ ରହିଛି। ଆନ୍ଦୋଳନକାରୀ ଖୋଲା ଖୋଲି ଚ୍ୟାଲେଞ୍ଜ କରିଛନ୍ତି ଯେ କୃଷି, କୃଷକ, ଜୈବ ବିବିଧତାକୁ ଛାରଖାର କରି କୌଣସି ପରିସ୍ଥିତିରେ ବି ଖରସ୍ରୋତାରୁ ବୁନ୍ଦାଏ ବି ପାଣି ଦିଆଯିବ ନାହିଁ। 

Related Posts