ପ୍ରଚାର ପାଇଁ ଟଙ୍କା ଦେଲାନି କଂଗ୍ରେସ, ଟିକେଟ ଫେରାଇଦେଲେ ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି

ଭୁବନେଶ୍ୱର,୦୪/୫(ସତ୍ୟପାଠ ବ୍ୟୁରୋ):     ଟିକେଟ୍ ଫେରାଇଲେ ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି। ପ୍ରଚାର ପାଇଁ ଟଙ୍କା ନ ଦେବାରୁ ଟିକେଟ୍ ଫେରାଇଥିବା AICCକୁ ଜଣାଇଛନ୍ତି ସୁଚରିତା। ବିନା ପାର୍ଟି ଫଣ୍ଡିଂରେ କ୍ୟାମ୍ପେନିଂ କରିବା ସହଜ ନୁହେଁ ବୋଲି କହିଛନ୍ତି ସୁଚରିତା ମହାନ୍ତି। ପୁରୀ ଲୋକସଭା ଅଧୀନ ୭ଟିଯାକ ବିଧାନସଭା ଆସନରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ତାସହ ୪ଟି ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ମଧ୍ୟ ସେ ଅନୁରୋଧ କରିଥିଲେ, କିନ୍ତୁ ପରିବର୍ତ୍ତନ କରାଯାଇନଥିବା ସୁଚରିତା ମହାନ୍ତି କହିଛନ୍ତି।

ମେ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ପୁରୀରେ ହେବ ନିର୍ବାଚନ। ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମେ ୬ ତାରିଖ ରହିଛି। ଏହି ସମୟରେ ପୁରୀ ସାଂସଦ ପ୍ରାର୍ଥୀ ଟିକେଟ୍ ଫେରାଇଦେବା ନିହାତି ଭାବେ କଂଗ୍ରେସ ପାଇଁ ଶକ୍ତ ଧକ୍କା।

ତେବେ ପୁରୀ ଲୋକସଭାରେ ବିଜେଡି – ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ହେବ ବୋଲି କୁହାଯାଉଛି । ବିଜେଡିରୁ ଲଢ଼ୁଛନ୍ତି ଅରୁପ ପଟ୍ଟନାୟକ । ସେ ଗତଥର ଭୁବନେଶ୍ୱର ଲୋକସଭାରୁ ଲଢ଼ି ପରାଜିତ ହୋଇଥିଲେ । ସେହିଭଳି ଗତଥର ପୁରୀରୁ ଲଢ଼ି ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଏଥର ମଧ୍ୟ ଲଢ଼ୁଛନ୍ତି ।

Related Posts