ଝାରସୁଗୁଡାରେ ବିଶୃଙ୍ଖଳା ନୁହେଁ ଶାନ୍ତିର ଆବଶ୍ୟକତା ରହିଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୩/୪(ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ଶିଳ୍ପାୟନର ପ୍ରମୁଖ କେନ୍ଦ୍ର ଝାରସୁଗୁଡାରେ ବିଶୃଙ୍ଖଳା ନୁହେଁ ଶାନ୍ତିର ଆବଶ୍ୟକତା ରହିଛି ବୋଲି ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ପ୍ରସଙ୍ଗ କରିବା ସମ୍ପର୍କିତ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି, ଝାରସୁଗୁଡା ହେଉଛି ଓଡ଼ିଶାର ଶିଳ୍ପାୟନର ପ୍ରମୁଖ କେନ୍ଦ୍ର । ଏଠାରେ ଶାନ୍ତିର ଘୋର ଅଭାବ ରହିଛି । କାରଣ ପୁଞ୍ଜିନିବେଶ, ରୋଜଗାର ସୃଷ୍ଟି ଶାନ୍ତି ପରିବେଶରେ ହିଁ ହୁଏ । କିନ୍ତୁ ବିଗତ ଦିନ ଗୁଡିକରେ ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀଙ୍କ ପୋଲିସ ଗୁଳିରେ ହତ୍ୟା ଓ ନାବାଳକର ଅପହରଣ ସହ ହତ୍ୟା ରାଜ୍ୟ ସରକାରଙ୍କ ଆଇନଶୃଙ୍ଖଳାରେ ଥିବା ବିଫଳତାକୁ ଦର୍ଶାଉଛି । ଆବାସ ଯୋଜନାରେ ଗରିବ ଲୋକଙ୍କୁ ଘର ନମିଳିବା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟାବସ୍ଥା, ମହାନଦୀର ପାଣି ଓଡ଼ିଶାକୁ ପର୍ଯ୍ୟାପ୍ତ ମାତ୍ରାରେ ନମିଳିବା, ଜଳସେଚନର ବ୍ୟବସ୍ଥା ନ ହେବା, ଯୁବକ ଯୁବତୀମାନେ ରୋଜଗାର ଆଶାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ବିଜେଡ଼ି ସରକାରର ୨୨ ବର୍ଷ ଶାସନର ଉପଲବ୍ଧି ।

ପଦ୍ମପୁରରେ ବିଜେପି ପ୍ରସଙ୍ଗ ଆଧାରିତ ନିର୍ବାଚନ ଲଢିଥିଲା । ମାତ୍ର ବିଜେଡି ସରକାର ପଦ୍ମପୁର ଜିଲ୍ଲା କରିବା ପାଇଁ ଯେଉଁ ପ୍ରତିଶ୍ରୁତି ଥିଲା, ତାହାକୁ ପୂରଣ କଲେ କି ? ବିଜେପୁରରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପରେ ଚାଷ ଜମିକୁ ପାଣି ମାଡିଲା କି ? ଧାନ କିଣାର ସମସ୍ୟାର ସମାଧାନ ହେଲା କି? ଶାସକ ଦଳର ନିରନ୍ତର ଭାବେ ଶାସନ କଳକୁ କାମରେ ଲଗାଇ ନିର୍ବାଚନ ଜିତୁଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପୁରୀରେ ଉଗ୍ରବାଦୀମାନେ ଲୁଚିବାର କଥା କେହି ଭାବିଥିଲେ କି ? ସମ୍ବଲପୁରରେ ହନୁମାନ ଜୟନ୍ତୀ ଦିନ ଅଭାବନୀୟ ଘଟଣା ଘଟିବାର କେହି କଳ୍ପନା କରିଥିଲେ କି ? ଏଠାରେ ଅନୁମତି ନେଇ ଗୁରୁତର କାର୍ଯ୍ୟକର୍ତ୍ତାଙ୍କୁ ଦେଖିବାକୁ ଗଲେ ଜନପ୍ରତିନିଧିଙ୍କୁ ତାଙ୍କ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ କରାଯାଉଛି । ଏହା ଓଡ଼ିଶାରେ କେବେ ହୋଇନଥିଲା । ଏଠି ମେରି ରାଜ ଶାସନ ଚାଲିଛି । ଏକଛତ୍ରବାଦ ଶାସନ ଚାଲିଛି । ଝାରସୁଗୁଡ଼ା ଉପନିର୍ବାଚନରେ ଆମ ଦଳ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସହ ଏଭଳି ବିଷୟ ସମେତ ଓଡ଼ିଶାର ଆକାଂକ୍ଷା ଏବଂ ଅପେକ୍ଷାକୁ ପ୍ରସଙ୍ଗ କରିବ । ଝାରସୁଗୁଡ଼ାର ଜନସାଧାରଣ ବିଜେପି ସାଙ୍ଗରେ ଅଛନ୍ତି ଓ ରହିବେ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କହିଛନ୍ତି ।

ସେହିପରି ଝାରସୁଗୁଡାରେ ଆୟୋଜିତ ଦଳୀୟ ମିଶ୍ରଣ ପର୍ବରେ ଶ୍ରୀ ପ୍ରଧାନ ଶହୀଦ କରୁଣାକର ସିଂହ ନାୟକଙ୍କ ସୁଯୋଗ୍ୟ ଦାୟଦ ଅମରେନ୍ଦ୍ର ପ୍ରତାପ ସିଂହ, ପ୍ରକାଶ ଚନ୍ଦ୍ର ହୋତା, ଅଶ୍ୱିନୀ ପଟେଲ ଓ ସୁମନ୍ତ କୁମାର ପଟେଲଙ୍କୁ ଦଳରେ ସ୍ୱାଗତ କରିଥିଲେ । ଏ ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଝାରସୁଗୁଡ଼ା ହେଉଛି ସଂଗ୍ରାମୀ ମାଟି । ଶହୀଦ କରୁଣାକର ସିଂହଙ୍କ ମାଟି । ଆଜି ତାଙ୍କ ପରିବାରର ଦାୟଦ ଆମ ଦଳରେ ଯୋଗଦାନ ପ୍ରମାଣିତ କରୁଛି ଯେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଲୋକମାନଙ୍କର ଆସ୍ଥା ଓ ସାମାଜିକ ନେତୃତ୍ୱର ବିଶ୍ୱାସ ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ସ୍ୱୀକାର କରି ଦଳରେ ମିଶିଥିବାରୁ ଶ୍ରୀ ପ୍ରଧାନ ନବନିଯୁକ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

Related Posts