ସାମ୍ବାଦିକଙ୍କୁ ଅପହରଣ କରିନେଉଛନ୍ତି ରୁଷ ସୈନିକ: ୟୁକ୍ରେନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘଟ ଯୁଦ୍ଧ ଚାଲିଛି । ସେପଟେ ନିଜର ଅସ୍ତିତ୍ୱ ପାଇଁ ଲଢ଼େଇ ଜାରି ରଖିଛି ୟୁକ୍ରେନ୍। ରାଷ୍ଟ୍ରପତି ଜେଲେନ୍‌ସ୍କି ବିଭିନ୍ନ ଦେଶରୁ ଯୁଦ୍ଧାସ୍ତ୍ର ସହଯୋଗ ଚାହୁଁଛନ୍ତି। ଦେଶଗୁଡ଼ିକ ଯୁଦ୍ଧାସ୍ତ୍ର ଯୋଗାଇ ଦେଉଥିବାରୁ ଜେଲେନ୍‌ସ୍କିଙ୍କ ସେନା ଋଷର କଡ଼ା ଜବାବ ଦେଇପାରୁଛି। ଏପଟେ ଋଷ ଉପରେ ଆଉ ଏକ ଅଭିଯୋଗ ଲଗାଇଛି ୟୁକ୍ରେନ୍। ଋଷ ସେନା ଦେଶରୁ ସାମ୍ବାଦିକମାନଙ୍କୁ ଅପହରଣ କରି ନେଇଯାଉଛି ବୋଲି ୟୁକ୍ରେନ୍ ଅଭିଯୋଗ କରିଛି।

ଏସୋସିଆଟ୍‌ ପ୍ରେସରେ ପ୍ରକାଶିତ ଖବର ଅନୁସାରେ ୟୁକ୍ରେନ ପ୍ରୋସିକ୍ୟୁଟର ଜେନେରାଲଙ୍କ କାର୍ୟ୍ୟାଳୟ ପକ୍ଷରୁ ଏକ ବୟାନ ଜାରି କରି ଏଭଳି ଅଭିଯୋଗ ଲଗାଯାଇଛି। ଜଣେ ୟୁକ୍ରେନ୍ ସାମ୍ବାଦିକ ଋଷ ଆକ୍ରମଣକୁ କଭର କରୁଥିବା ବେଳେ ଋଷର ସୈନିକମାନେ ତାଙ୍କୁ ଅପହରଣ କରି ନେଇଯାଇଛନ୍ତି। ସାମ୍ବାଦିକ ଜଣଙ୍କ ପୂର୍ବ ଓ ଦକ୍ଷିଣ ୟୁକ୍ରେନ୍‌ରେ ରିପୋର୍ଟିଂ କରି ଋଷର ଅତ୍ୟାଚାରକୁ କଲମରେ ବନ୍ଧି ରଖୁଥିଲେ। ହେଲେ ପୁଟିନ ସେନା ସେହି ସାମ୍ବାଦିକଙ୍କୁ ଅପହରଣ କରିନେଇଛି ବୋଲି ୟୁକ୍ରେନ୍ ଅଭିଯୋଗ କରିଛି। ତେବେ ୟୁକ୍ରେନ୍‌ର ଏହି ନୂଆ ଅଭିଯୋଗ ଉପରେ ଋଷ ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ପ୍ରତିକ୍ରିୟା ଆସି ନାହିଁ।

Related Posts