
ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ବଯୁଦ୍ଧ ଆଡ଼କୁ ଘନୀଭୂତ ହେଵାରେ ଲାଗିଛି । ଧିରେ ଧିରେ ଦିନକୁ ଦିନ ଆହୁରି ଭୟଙ୍କର ସ୍ଥିତି ଉତ୍ପନ୍ନ ହେଉଛି । ଏପର୍ଯ୍ୟନ୍ତ ତୃତୀୟ ବିଶ୍ୱ ଯୁଦ୍ଧ ନେଇ ଆଶଙ୍କା କରାଯାଉଥିଲା। ହେଲେ ଏବେ ନିଜେ ଋଷ ତୃତୀୟ ବିଶ୍ୱ ଯୁଦ୍ଧର ଚେତାବନୀ ଦେଇଛି।
ଯଦି ୟୁକ୍ରେନ୍ ଆମେରିକା ନେତୃତ୍ୱାଧିନ ‘ନାଟୋ’ ଆର୍ମି ସଂଗଠନରେ ଯୋଗ ଦିଏ ତେବେ ତୃତୀୟ ବିଶ୍ୱ ଯୁଦ୍ଧର ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଋଷ କହିଛି। ଏନେଇ ଋଷୀୟ ଖବର ସରବରାହ ସଂସ୍ଥା ଟାସ୍(TASS)ରେ ଖବର ପ୍ରକାଶ କରିଛି। ଗୁରୁବାର ଋଷୀୟ ସୁରକ୍ଷା ପରିଷଦର ଡେପୁଟି ସେକ୍ରେଟେରୀ ଆଲେକ୍ସାଣ୍ଡର ଭେନେଡିକ୍ଟୋଭା କହିଛନ୍ତି “ କିଏଭ୍ ଏକଥା ଜାଣିଛି ଯେ ଏଭଳି ପଦକ୍ଷେପ ନିଶ୍ଚିତପକ୍ଷେ ତୃତୀୟ ବିଶ୍ୱ ଯୁଦ୍ଧକୁ ଡାକିଆଣିବ।”
ୟୁକ୍ରେନ୍ ଉପରେ ଋଷ ଆକ୍ରମଣ ଜାରି ରଖିଛି। ନିକଟରେ ଋଷ ୟୁକ୍ରେନର ୪ଟି ଅଞ୍ଚଳକୁ ଦଖଲ କରିଛି। ଏହାପରେ ୟୁକ୍ରେନ୍ ନାଟୋରେ ମିଶିବା ନେଇ ପ୍ରକ୍ରିୟା ତ୍ୱରାନ୍ୱିତ କରିଛି। ଫାଷ୍ଟ-ଟ୍ରାକ୍ ପ୍ରକ୍ରିୟାରେ ନାଟୋ ସଦସ୍ୟ ହେବା ପାଇଁ ୟୁକ୍ରେନ୍ ଆବେଦନ କରିଛି। ନାଟୋରେ ସଦସ୍ୟ ହେବା ପାଇଁ ଏହାର ସମସ୍ତ ୩୦ଟି ସଦସ୍ୟ ରାଷ୍ଟ୍ର ସହମତି ଦେବା ଉଚିତ୍। ହେଲେ ଏଭଳି ସ୍ଥିତିରେ ସମସ୍ତ ସଦସ୍ୟ ରାଷ୍ଟ୍ର ରାଜି ହେବା ଏକପ୍ରକାରର ଅସମ୍ଭବ ଲାଗୁଛି।
ଭେନେଡିକ୍ଟୋଭ୍ ଆହୁରି କହିଛନ୍ତି ଯେ ୟୁକ୍ରେନ୍ରେ ନାଟୋ ମିଶିବା ନେଇ ଆବେଦନ କରିବା କେବଳ ଏକ ପ୍ରଚାର ଥିଲା। କାରଣ ପଶ୍ଚିମ ଦେଶଗୁଡ଼ିକ ଏହାର ପରିଣାମ କ’ଣ ହେବା ଜାଣିଛନ୍ତି। ସେ କହିଛନ୍ତି “ନାଟୋରେ ମିଶିବା ଆତ୍ମହତ୍ୟା ସହିତ ସମାନ ବୋଲି ଏହାର ସଦସ୍ୟମାନେ ଭଲଭାବରେ ଜାଣିଛନ୍ତି।”
ଅନ୍ୟପଟେ ୟୁକ୍ରେନ୍ର ପ୍ରତିଆକ୍ରମଣ ଋଷକୁ ପରମାଣୁ ଆକ୍ରମଣ କରିବାକୁ ଉସ୍କାଉଥିବା ଭେନେଡିକ୍ଟୋଭ୍ କହିଛନ୍ତି। ପରମାଣୁ ଆକ୍ରମଣର ପରିଣାମ ଭୟଙ୍କର ହେବ ବୋଲି ସେ ଚେତାଇ ଦେଉଛନ୍ତି। ସେ କହିଛନ୍ତି “ ଆମେ ସମସ୍ତେ ମନେ ରଖିବା ଦରକାର ଯେ ପରମାଣୁ ଯୁଦ୍ଧ କେବଳ ଋଷ କି ପଶ୍ଚିମ ଦେଶଗୁଡ଼ିକୁ ଯେ ପ୍ରଭାବିତ କରିବ ତାହା ନୁହେଁ, ଏହି ଗ୍ରହରେ ଥିବା ସମସ୍ତ ଦେଶ ଏଥିରେ ପ୍ରଭାବିତ ହେବେ।” ପରିଣାମ ମାନବ ସମାଜକୁ ଧ୍ୱଂଶ କରିଦେବ ବୋଲି ଭେନେଡିକ୍ଟୋଭ୍ କହିଛନ୍ତି