ଜୁଲାଇ ୨୧; ୧୫ ବର୍ଷ ପୂର୍ବେ ଆଜିର ଦିନରେ ଦେଶ ପାଇଥିଲା ପ୍ରଥମ ମହିଳା ରାଷ୍ଟ୍ରପତି, ଆଜି ପୁଣି ହୋଇପାରେ ଇତିହାସର ପୁନରାବୃତ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜୁଲାଇ ୨୧, ଏହି ଦିନଟି ପୁଣି ଆମ ଦେଶର ଇତିହାସରେ ଗୁରୁତ୍ୱ ବହନ କରିବାକୁ ଯାଉଛି । ଦେଶକୁ ୨୧ ଜୁଲାଇ ୨୦୨୨ରେ ମିଳିବାକୁ ଯାଉଛି ଆଉଜଣେ ମହିଳା ରାଷ୍ଟ୍ରପତି । ଦେଶର ୧୫ ତମ ରାଷ୍ଟ୍ରପତି ପଦ ପାଇଁ ୧୮ ଜୁଲାଇରେ ନିର୍ବାଚନ ହୋଇଥିଲା । ୨୧ ଜୁଲାଇ ଅର୍ଥାତ୍ ଆଜି ସଂସଦ ଭବନରେ ଏହି ନିର୍ବାଚନର ମତଗଣନା ହେବ । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏଥିରେ ବିଜୟୀ ହେବେ ବୋଲି ଅନୁମାନ କରାଯାଉଛି ।ଯଦି ଏଥିରେ ସେ ବିଜୟୀ ହୁଅନ୍ତି ତେବେ ଦେଶକୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ମିଳିବ ।

ସୂଚନାଯୋଗ୍ୟ, ଆଜିକୁ ଠିକ୍ ୧୫ ବର୍ଷ ତଳେ ୨୧ ଜୁଲାଇରେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ ପ୍ରତିଭା ଦେବୀ ସିଂ ପାଟିଲ । ୨୧ ଜୁଲାଇ ୨୦୦୭ରେ ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ପରେ ପ୍ରତିଭା ଦେବୀ ସିଂ ପାଟିଲ ବିଜୟୀ ହୋଇ ଦେଶର ୧୨ ତମ ରରାଷ୍ଟ୍ରପତି ଭାବେ ଦାୟିତ୍ଵ ସମ୍ଭାଳିଥିଲେ । ଏହାପରେ ୨୫ ଜୁଲାଇ ୨୦୦୭ରେ ସେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ସେ ୨୦୦୭-୨୦୧୨ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ରୂପେ କାର୍ଯ୍ୟ କରିଥିଲେ । ଦେଶର ସର୍ବୋଚ୍ଚ ସମ୍ବିଧାନକ ପଦ ଗ୍ରହଣ କରିବାରେ ସେ ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ । ଏହାପରେ ଏବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ମହିଳା ତଥା ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ଏହି ସମ୍ବିଧାନକ ପଦ ଗ୍ରହଣ କରିପାରନ୍ତି । ବର୍ତ୍ତମାନ ଦେଶରେ ରାଷ୍ଟ୍ରପତି ଥିବା ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୪ ଜୁଲାଇରେ ଶେଷ ହେଉଛି । ଏହାପରେ ୨୫ ଜୁଲାଇରେ ନବନିର୍ବାଚିତ ରାଷ୍ଟ୍ରପତି ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

Related Posts