କହ୍ନେୟାଲାଲ ହତ୍ୟା ଘଟଣା: ଆଉ ଚାରିଜଣ ଅଭିଯୁକ୍ତ ଗିରଫ

ଜୟପୁର: ରାଜସ୍ଥାନର ଉଦୟପୁର କହ୍ନେୟାଲାଲ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ଭାର ସମ୍ଭାଳିଥିବା ତଦନ୍ତକାରୀ ସଂସ୍ଥା NIA କୁ ସଫଳତା ମିଳିଛି । ଏନ୍ଆଇଏ ଏବଂ ଏଟିଏସ୍ ତ୍ବରାନ୍ବିତ ଭାବେ ତଦନ୍ତ ଓ ଗିରଫଦାରୀ ଜାରି ରଖିଛନ୍ତି । ଗତକାଲି (ରବିବାର) ବିଳମ୍ବିତ ରାତିରେ ଏଟିଏସ୍ ଦ୍ୱାରା ଆଉ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବିଳମ୍ବିତ ରାତିରେ ଉଦୟପୁରର ଏକ ଧାର୍ମିକ ସ୍ଥାନରୁ ଏଟିଏସ ଅଧିକାରୀମାନେ ଏହି ଚାରି ଅଭିଯୁକ୍ତଙ୍କୁ ଗିରଫ କରି ଜେରା ଜାରି ରଖିଛନ୍ତି । 4 ଅଭିଯୁକ୍ତ ଅବଦୁଲ ରଜାକ, ରିୟାସତ ହୁସେନ୍, ୱାସିମ୍ ଅଥାରି, ଅଖତର ରଜା ବୋଲି ସୂଚନା ମିଳିଛି ।

ପୂର୍ବରୁ ମିଳିଥିବା ସୂଚନା ଅନୁସାରେ ଏମାନେ ଲୁଚିଥିବା ଆଡ୍ଡା ଉପରେ ଚଢାଉ କରାଯିବା ପରେ ଗିରଫ କରାଯାଇଛି । ତେବେ ଜେରା ବେଳେ ଆଶ୍ଚର୍ଯ୍ୟଚକିତ ହେବା ଭଳି ତଥ୍ୟ ମଧ୍ୟ ପୋଲିସ ଆଗରେ ଓଗାଳିଛନ୍ତି ଅଭିଯୁକ୍ତ । ଏହିମାନେ ହିଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଘାସ ମହମ୍ମଦଙ୍କୁ ପାକିସ୍ତାନ ପଠାଇଥିଲେ । ଏମାନଙ୍କ ପ୍ରତ୍ୟେକ୍ଷ ସମ୍ପୃକ୍ତି ମଧ୍ୟ ପାକିସ୍ତାନର ଆତଙ୍କୀ ଗୋଷ୍ଠୀଙ୍କ ସହ ଥାଇପାରେ ବୋଲିି NIA ଓ ATS ସନ୍ଦେହ କରୁଛି ।

ଅନ୍ୟପଟେ, ଆଜି ଉଦୟପୁରରେ 12 ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରିଛି ସ୍ଥାନୀୟ ପ୍ରଶାସନ । ସହରରେ ଅବସ୍ଥା ଧୀରେ ଧୀରେ ସ୍ୱାଭାବିକ ମଧ୍ୟ ହେଉଛି । ସ୍ଥିତିରେ ସୁଧାର ଦେଖି ଆଜି ସକାଳ 8 ଟାରୁ ରାତି 8 ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି । ଆଜି ଅପରାହ୍ନ ସୁଦ୍ଧା ଇଣ୍ଟରନେଟ୍ ସେବା ପୁନଃ କାର୍ଯ୍ୟକ୍ଷମ ହେବା ନେଇ ମଧ୍ୟ ଆଶା କରାଯାଉଛି ।

Related Posts