ମିଳିଲାନି ଟିକେଟ, ରାତାରାତି ବିଜେଡି ଛାଡ଼ି ବିଜେପିରେ ମିଶିଲେ କୈଳାଶ କୁଲେସିକା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମିଳିଲାନି ଟିକେଟ, ରାତାରାତି ବିଜେଡି ଛାଡ଼ି ବିଜେପିରେ ମିଶିଲେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା। ଗତକାଲି ରାତିରେ ସେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ ବିଜେପିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କୈଳାସ ବିଜେପିରେ ସାମିଲ୍ ହୋଇଛନ୍ତି।

ସେପଟେ ବିଜେଡି ଛାଡ଼ିବା ପରେ ଦଳ ଉପରେ ବର୍ଷିଛନ୍ତି କୁଲେସିକା। ସେ କହିଛନ୍ତି, ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେ ରକ୍ଷା କରିବେ ବୋଲି ମୋର ଆଶା ଥିଲା। ସେହି ଆଶା ମୋର ଧୂଳିସାତ ହୋଇଯାଇଛି। ମୋର ବିଶ୍ୱାସରେ ବିଷ ଦିଆଯାଇଛି। ସେ ଆହୁରି କହିଛନ୍ତି, ମୁଁ ବିଜେଡିରେ ମିଶିବାକୁ ଅନୁରୋଧ କରିନଥିଲି। ବିଜେଡିରେ ମିଶିବାକୁ ମୋତେ ଆହ୍ୱାନ କରାଯାଇଥିଲା। ବିଜେଡିରେ ମିଶିବା ପରେ ଲକ୍ଷ୍ମୀପୁରରେ ପ୍ରାର୍ଥୀ କରାଯିବ ବୋଲି ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୋତେ କହିଥିଲେ। ଏବେ ଲକ୍ଷ୍ମୀପୁରରେ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରାଯିବା ପରେ ମୋତେ ପ୍ରୋଲଭନ ଦେଖାଉଛନ୍ତି। ମୋତେ କୋଟିଏ ଟଙ୍କା ଦିଆଯିବ ବୋଲି କହୁଛନ୍ତି। ସରକାର ହେବା ପରେ ଏସ୍‌ଡିସି ଉପଦେଷ୍ଟା ପଦ ଦିଆଯିବ ବୋଲି ମଧ୍ୟ କହୁଛନ୍ତି। ଟିକେଟ ନଦେଇ ଏହି ଲାଳସା ମୋତେ ଦେଖାଉଛନ୍ତି। ମୋତେ ଲକ୍ଷ୍ମୀପୁରର ପ୍ରାର୍ଥୀ ନ କରି କୋଟିଏ ଟଙ୍କାରେ କିଣିବାକୁ ଯେଉଁ ପ୍ରୟାସ କଲେ ମୋ ହୃଦୟକୁ ବାଧିଲା। ମୁଁ ଗୋଟେ ସ୍ୱାଭିମାନୀ ଅଧିବାସୀ ପିଲା। ଏତେ ବାଧିଲା ଯେ ମୁଁ ବାଧ୍ୟ ହୋଇ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛି। ମୋ ଲୁହ ବିଜୁ ଜନତା ଦଳ ଉପରେ ପଡ଼ିବ। ସେମାନଙ୍କ ଉପରେ ମୋର ଅଭିଶାପ ପଡ଼ିବ। ବିଜେଡି ଲକ୍ଷ୍ମୀପୁରରେ ହାରିବ, ବିଜେପି ସେଠି ଜିତିବ ବୋଲି କୁଲେସିକା କହିଛନ୍ତି।

ସୂଚାନଯୋଗ୍ୟ ଯେ, ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ କୈଳାଶ କୁଲେସିକ। ସେ ଲକ୍ଷ୍ମୀପୁରରେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ହେଲେ ଗତକାଲି ବିଜେଡି ପ୍ରଭୁ ଜାନିଙ୍କୁ ଲକ୍ଷ୍ମୀପୁର ପାଇଁ ପ୍ରାର୍ଥୀ କରିଥିଲା। ଏହି ଘୋଷଣା ପରେ କ୍ଷୋଭ ପ୍ରକାଶ କରିଥିଲେ କୈଳାଶ କୁଲେସିକା। ସେ ବିଜେଡିରୁ ଇସ୍ତଫା ଦେଇଥିଲେ ଓ ପରେ ରାତିରେ ବିଜେପିରେ ସାମିଲ ହୋଇଥିଲେ। ଆଜି ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ହେବ। ସେଥିରେ କୈଳାଶ କୁଲେସିକାଙ୍କର ସମର୍ଥକ ମାନେ ବିଧିବିଦ୍ଧ ଭାବେ ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି।

Related Posts