ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ କାଳବୈଶାଖୀ ଅନେକ ଧନ ଜୀବନ ନଷ୍ଟ କରିଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ପ୍ରବଳ ପବନରେ ଏକ ଟିଣ ଛପର ସହ ଜଣେ ବ୍ୟକ୍ତି ଆକାଶକୁ ଉଡ଼ିଯାଉଛନ୍ତି। ଏହି ଅଲୌକିକ ଭାବେ ବଞ୍ଚିଯାଇଥିବା ବ୍ୟକ୍ତିଜଣକ ହେଉଛନ୍ତି ଉତ୍ତର ପ୍ରଦେଶ ବରେଲି ଜିଲ୍ଲାର ନହ୍ନେ ଖାନ୍। ପ୍ରାୟ ୫୦ ମିଟର ଉଚ୍ଚରୁ ଖସିବା ପରେ ମଧ୍ୟ ସେ କିଭଳି ନୂଆ ଜୀବନ ପାଇଲେ, ସେହି ଭୟଙ୍କର କାହାଣୀ ଏବେ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ କାଳବୈଶାଖୀ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଏହି ସମୟରେ ଏକ ବିବାହ ମଣ୍ଡପ ନିକଟରେ ଥିବା ନହ୍ନେ ଖାନ୍ ଟିଣ ଛପରଟିକୁ ପବନରୁ ରକ୍ଷା କରିବା ପାଇଁ ତାହାର ଖୁଣ୍ଟିକୁ ଧରି ପକାଇଥିଲେ। କିନ୍ତୁ ପବନର ବେଗ ଏତେ ପ୍ରଖର ଥିଲା ଯେ, ତାଙ୍କ ସହ ସମ୍ପୂର୍ଣ୍ଣ ଟିଣ ଢାଞ୍ଚାଟି ପ୍ରାୟ ୫୦ ମିଟର ଉପରକୁ ଉଡ଼ିଯାଇଥିଲା।
କିଛି ସମୟ ଶୂନ୍ୟରେ ରହିବା ପରେ ସେ ଏକ ଦୂର ବିଲରେ ଯାଇ ପଡ଼ିଥିଲେ। ତାଙ୍କର ନାଁ ନହ୍ନେ ଖାନ ଏବଂ ସେ ଉତ୍ତର ପ୍ରଦେଶ ବରେଲି ଜିଲ୍ଲାର ବାସିନ୍ଦା ବୋଲି ପୋଲିସ କହିଥିଲା।ମୃତ୍ୟୁ ମୁଖରୁ ଅଳ୍ପକେରୁ ବର୍ତ୍ତିଥିବା ନହ୍ନେ କହିଛନ୍ତି, “ପବନ ଏତେ ଜୋରରେ ହେବ ବୋଲି ଆମେ ଭାବି ନଥିଲୁ। ଟିଣଟିକୁ ବଞ୍ଚାଇବାକୁ ଯାଇ ଆମେ ଦଉଡ଼ି ଧରିଥିଲୁ, ହେଲେ ସେଇଟି ଆମକୁ ୫୦ ମିଟର ଉପରକୁ ଉଡ଼ାଇ ନେଇଥିଲା।” ଏହି ଦୁର୍ଘଟଣାରେ ସେ ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ ହେଉଥିବା କହିଛନ୍ତି। ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
