ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସଂସଦର ମୌସୁମୀ ଅଧିବେଶନରେ ଦରଦାମ୍ ଓ ଜିଏସ୍‌ଟି ବୃଦ୍ଧି ସମ୍ପର୍କରେ ଆଲୋଚନା କରିବାକୁ ଦାବି କରି ବିରୋଧୀ ଦଳଗୁଡ଼ିକ ଏମିତି ହଙ୍ଗାମା କରୁଛନ୍ତି ଯେ ବାଚସ୍ପତି ସଂସଦକୁ ମୁଲତବି ରଖିବାକୁ ବାଧ୍ୟ ହେଉଛନ୍ତି। ଗୃହ କାର୍ଯ୍ୟ ରେ ବାରମ୍ବାର ଅଚଳାବସ୍ଥା ଦେଖା ଯାଉଛି।

ସଂସଦର ଉଭୟ ସଦନରେ ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ଏପରି ଅଚଳାବସ୍ଥାକୁ ଦୂର କରିବା ପାଇଁ ପୂର୍ବତନ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ କପିଲ ଶିବଲ ଗୁରୁବାର ସଂସଦୀୟ କାର୍ଯ୍ୟଧାରାରେ କିଛି ପରିବର୍ତ୍ତନ ନିମନ୍ତେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।ତାଙ୍କର ପ୍ରସ୍ତାବ ଅନୁଯାୟୀ ପ୍ରଥମରେ ସରକାର ସପ୍ତାହରେ ଗୋଟିଏ ଦିନ ସଂରକ୍ଷିତ ରଖନ୍ତୁ ଯେଉଁଦିନ କେବଳ ବିରୋଧୀ ଦଳଗୁଡ଼ିକ ଯାହା ଚାହିଁବେ ଆଲୋଚନା ହେବ। ଦ୍ଵିତୀୟରେ ଏହିଦିନ ବିରୋଧୀ ଦଳ ଉଠାଉଥିବା ପ୍ରସଙ୍ଗ ଉପରେ ଆଲୋଚନାକୁ ବନ୍ଦ କରିବାର ଅଧିକାର ସରକାରଙ୍କର ମଧ୍ୟ ରହିବ ନାହିଁ ଅର୍ଥାତ୍ ବିରୋଧୀ ଯାହା ଚାହୁଁଥିବେ ଏହି ଦିନ ସରକାର ଆଲୋଚନା କରିବାକୁ ବାଧ୍ୟ। ଏବଂ ତାଙ୍କର ତୃତୀୟ ପ୍ରସ୍ତାବ ଅନୁସାରେ ଗୃହରେ ବିନା ଆଲୋଚନାରେ କୌଣସି ବି ଆଇନ ସଂସଦ ରେ ପାସ୍ ହୋଇପାରିବ ନାହିଁ। ଏହି ୩ ପ୍ରସ୍ତାବକୁ ସରକାର କାର୍ଯ୍ୟକାରୀ କଲେ ଗୃହରେ ଆଉ ଅଚଳାବସ୍ଥା ଦେଖାଯିବ ନାହିଁ ବୋଲି କପିଲ ଶିବଲ୍ ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି।