ସିବିଆଇକୁ କପିଲ୍‌ ସିବଲ୍‌ଙ୍କ କଟାକ୍ଷ; “ପିଞ୍ଜରାବଦ୍ଧ ଥିବା ଶୁଆ ଏବେ ପିଞ୍ଜରାମୁକ୍ତ, ଏହି ଶୁଆର ପର ଏବେ ଗେରୁଆ ହୋଇ ଗଲାଣି”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ କପିଲ୍‌ ସିବଲ୍‌ ତାଙ୍କର ପ୍ରସିଦ୍ଧ ଉକ୍ତି ‘ସିବିଆଇ’ ଗୋଟାଏ ‘ପିଞ୍ଜରାବଦ୍ଧ ଶୁଆ’ କଥା ସ୍ମରଣ କରିଛନ୍ତି। ସିବଲ୍‌ କହିଛନ୍ତି ଯେ, ପିଞ୍ଜରାବଦ୍ଧ ଶୁଆକୁ ଏବେ ପିଞ୍ଜରାମୁକ୍ତ କରାଯାଇଛି ଓ ଏହି ଶୁଆର ପର ଏବେ ଗେରୁଆ ହୋଇଯାଇଛି ।ତେବେ ସୂଚନାଯୋଗ୍ୟ ଯେ, ‘ସିବିଆଇ’ ଏକ ‘ପିଞ୍ଜରାବଦ୍ଧ ଶୁଆ’ ବୋଲି ୨୦୧୩ରେ ସିବଲ୍‌ ସୁପ୍ରିମ୍‌ କୋର୍ଟରେ କହିଥିଲେ। ସେ ସମୟରେ ତାଙ୍କର ଏହି ଉକ୍ତିଟି ବେଶ୍ ଚର୍ଚ୍ଚା ସାଉଁଟି ଥିଲା।

ତେବେ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ସଂକ୍ରାନ୍ତରେ ତଦନ୍ତ‌ କରୁଥିବା ‘ସିବିଆଇ’ ଶୁକ୍ରବାର ଦିନ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନରେ ପ୍ରାୟ ୧୬ ଘଣ୍ଟା ଧରି ଚଢାଉ କରିଥିଲା। ଏହି ଘଟଣାକୁ ସମାଲୋଚନା କରି ସିବଲ୍‌ ଆଜି ତାଙ୍କର ପୁରାତନ ଉକ୍ତି ଦୋହରାଇଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି,”ଦିନେ ପିଞ୍ଜରାବଦ୍ଧ ଥିବା ଶୁଆ ଏବେ ପିଞ୍ଜରାମୁକ୍ତ। ଏବେ ତା’ର ପର ଗେରୁଆ ରଙ୍ଗ ପାଲଟି ଗଲାଣି। ଏବେ ତାର ମାଲିକ ତାକୁ ଯାହା କହୁଛି ସେ ତାହା ହିଁ କହୁଛି।” ସିବଲ୍ ଆହୁରି କହିଛନ୍ତି ଯେ, କେଜ୍ରିୱାଲ୍‌ଙ୍କର ଉତ୍ଥାନ ଦେଖି ‘ବିଜେପି’ ‘ଆପ୍‌’କୁ ବଦନାମ କରିବାକୁ ଉଦ୍ୟମ କରୁଛି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ‘ସିବିଆଇ’ ସିସୋଦିଆଙ୍କ ଘରେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚଢ଼ାଉ ଜାରି ରଖିଥିଲା। ତାଙ୍କ କମ୍ପ୍ୟୁଟର୍‌ ଓ ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରିଥିବା କଥା ସିସୋଦିଆ କହିଛନ୍ତି।

Related Posts