ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଧବଳେଶ୍ୱର ମନ୍ଦିର ଭିତରକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡିଆ । ସେମାନେ କେବଳ ମାନସିକ କଳସ ଓ ଭୋଗ ନେଇ ଭିତରକୁ ଯାଇପାରିବେ। ଆଜି ଏହି ସୂଚନା ଦେଇଛନ୍ତି ଆଠଗଡ଼ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ । ସେପଟେ ଉପ ଜିଲ୍ଲାପାଳ କହିଛନ୍ତି, ପ୍ରତିବର୍ଷ ଧବଳେଶ୍ଵର ପୀଠକୁ କାଉଡ଼ିଆ ମାନେ ଆସି ପ୍ରଭୁଙ୍କ ନିକଟରେ ଜଳ ଲାଗି କରିଥାନ୍ତି। ଏବର୍ଷ ମଧ୍ୟ କାଉଡ଼ିଆମାନେ ଆସିବେ।

ସେମାନେ କିପରି ଶୃଙ୍ଖଳିତ ଦର୍ଶନ କରିବେ, ସେନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ହେଲେ ସମସ୍ତ କାଉଡ଼ିଆ ଭାଇ ମାନେ ଝୁଲା ପୋଲ ପୂର୍ବରୁ ବାହୁଙ୍ଗି ରଖିବେ। ସେଠାରେ ବାହୁଙ୍ଗି ରଖି କଳସ ଓ ଭୋଗ ଧରି ମନ୍ଦିର ଭିତରକୁ ଆସିବେ। ସେଠାରେ ପ୍ରଭୁଙ୍କ ନିକଟରେ ଜଳ ଲାଗି କରିବେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।