ଅବସର ନେବାର ୩ ଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡିଲେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ

କେନ୍ଦ୍ରାପଡା : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ । ଲାଞ୍ଚ ନେବା ଏବେ ତାଙ୍କୁ ପଡ଼ିଛି ମହଙ୍ଗା । ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ।

ବଦଳି କରାଇଦେବା ପାଇଁ ଶିକ୍ଷା ବିଭାଗର ଜଣେ ପିଅନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି । ତେବେ ତିନିମୁହାଣି ଛକ ଏନଏଚ କଲୋନୀ ସ୍ଥିତ ଭଡା ଘରେ ଡିଇଓ ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ । ସବୁଠାରୁ ବଡ଼ କଥା ହେଲା ଆଉ ମାତ୍ର ୩ ଦିନ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ଅବସର ନେଇଥାଆନ୍ତେ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ପଟ୍ଟମୁଣ୍ଡାଇ ନିମପୁର ସ୍କୁଲର ପିଅନ ସନ୍ତୋଷ କୁଣ୍ଡୁଙ୍କୁ ଡେରାବିଶ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରିଦେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ଲାଞ୍ଚ ନେଉଥିଲେ l ଲାଞ୍ଚ ଟଙ୍କା ସହ ଧରାପଡିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଭଡା ଘର ସମେତ କଟକ ସ୍ଥିତ ଘର, ବାଲେଶ୍ବର ସ୍ଥିତ ପୈତୃକ ଘରେ ଏକକାଳୀନ ଭିଜିଲାନ୍ସ ଚଢାଉ କରୁଥିବା ଜଣାପଡିଛି l ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ଛାନଭିନ୍ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

ଶିକ୍ଷା ଅଧିକାରୀ ସଂଜୀବ ସିଂହଙ୍କ ନାମରେ ବିଭିନ୍ନ ସମୟରେ ଲାଞ୍ଚ ନେବା, ତଦନ୍ତକୁ ଚପେଇ ଦେବା ଏବଂ ବଦଳି କରିଦେବା, ବିଲ୍ କରିଦେବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ ଅବସର ଗ୍ରହଣ ର ୩ ଦିନ ପୁର୍ବରୁ ଧରା ପଡ଼ିବାକୁ ଘଟଣା କୁ ନେଇ ଏବେ ଅଂଚଳରେ ବେଶ୍ ଚର୍ଚା ଜୋର୍ ଧରିଛି ।

Related Posts