ରୋଚକ ମୋଡରେ କୋରେଇ ପଲିଟିକ୍ସ; ବିଜେପିର ଅଭିନେତାକୁ ବିଜେଡିର ଅଭିନେତ୍ରୀ ଲଢେଇ!

ଭୁବନେଶ୍ୱର,୫/୪(ସତ୍ୟପାଠ ବ୍ୟୁରୋ): ଏବେ ରୋଚକ ମୋଡରେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନମଣ୍ଡଳୀର ରାଜନୀତି | ବିଜେପି ଏଠାରୁ ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ଏଯାଏଁ ନିଜ ପ୍ରାର୍ଥୀ ଘୋଷଣା କରିନି | ବର୍ତ୍ତମାନ ବିଧାୟକ ଥିବା ଅଶୋକ ବଳଙ୍କ ଟିକେଟ ଏଥର ବିଜେଡି କାଟିପାରେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି | ଏଭଳି ସ୍ଥିତିରେ କାହାକୁ ଦଳ ଟିକେଟ ଦେଉଛି ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି |

ପୂର୍ବରୁ କୋରେଇରୁ ଏଥର ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା | ହେଲେ ପ୍ରଣବଙ୍କୁ ଦଳ ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ କରିବା ପରେ ତାଙ୍କ ଭାଇ ଭବପ୍ରସାଦ ଦାସଙ୍କୁ ଏଠାରୁ ପ୍ରାର୍ଥୀ କରିବାକୁ ଦଳର ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି | ହେଲେ ସବୁ ମଧ୍ୟରେ ସାମ୍ନାକୁ ଆସିଛନ୍ତି ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇଙ୍କ ପତ୍ନୀ ତଥା ଜଣାଶୁଣା ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ |

ଗୁରୁବାର ବହୁ ବିଜେଡି କର୍ମୀ ବ୍ୟାସନଗର ସହର ଧବଳଗିରିସ୍ଥିତ ପ୍ରଫୁଲ୍ଲ ଘଡ଼େଇଙ୍କ ବାସଭବନରେ ପହଞ୍ଚି ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ଝିଲିକ୍‌ ମଧ୍ୟ ସୁଯୋଗ ମିଳିଲେ କୋରେଇବାସୀଙ୍କ ସେବା କରିବେ କହି ପ୍ରାର୍ଥୀ ହେବାକୁ ସବୁଜସଙ୍କେତ ଦେଇଛନ୍ତି। ନିଜ ପ୍ରତିକ୍ରିୟାରେ ଝିଲିକ୍‌ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କ ସ୍ୱାମୀ କୋରେଇର ବିଧାୟକ ଥିବାବେଳେ ଏଠାକାର ବିକାଶ ପାଇଁ ଯୋଜନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଯୋଗ ଦେଲେ ସେ ତାଙ୍କ ସ୍ୱାମୀଙ୍କ ଅଧୁରା ସ୍ୱପ୍ନ ପୂରଣ କରିପାରିବେ। କୋରେଇ ମାଟିର ବୋହୂ ଭାବେ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ଝିଲିକ୍।

ଆଉ ଝିଲିକଙ୍କ ଏଭଳି ବୟାନ ପରେ କୋରେଇ ରାଜନୀତି ସରଗରମ ହୋଇଛି। ଯଦି ଝିଲିକ୍‌ ବିଜେଡି ପ୍ରାର୍ଥୀ ହୁଅନ୍ତି, ତା’ହେଲେ କୋରେଇରେ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ଲଢ଼େଇ ଦେଖିବ ବୋଲି ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ବିଜେଡି କୋରେଇରୁ କାହାକୁ ପ୍ରାର୍ଥୀ କରୁଛି ତାହାରି ଉପରେ ସମସ୍ତଙ୍କ ନଜର ରହିଛି |

Related Posts