ଲଖନପୁର ଡଙ୍ଗା ବୁଡି ଘଟଣା; NHRCରେ ରୁଜୁ ହେଲା ମାମଲା

ଭୁବନେଶ୍ୱର,୨୦/୪(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ଲଖନପୁର ମହାନଦୀରେ ଡଙ୍ଗା ବୁଡି ଘଟଣାକୁ ନେଇ NHRCରେ ମାମଲା ରୁଜୁ କରିଛନ୍ତି ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ । ଘଟଣାରର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ନିଜ ଆବେଦନରେ ଅପିଲ କରିଛନ୍ତି । ଏଥିସହିତ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରଙ୍କୁ ଉଚିତ୍ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି । ଏଥିସହିତ ଯେଉଁଠାରେ ଜଳପଥ ବ୍ୟତୀତ ଅନ୍ୟ ପରିବହନ ମାର୍ଗ ନାହିଁ, ସେଠାରେ ବ୍ରିଜ୍ ନିର୍ମାଣ କରାଯାଉ ବୋଲି ମଧ୍ୟ ସେ ପ୍ରାର୍ଥନା କରିଛନ୍ତି ।

ଏହା ପୂର୍ବରୁ ୨୦୧୯ ମସିହାରେ ଓଡ଼ିଶାରେ ଡ଼ଙ୍ଗା ବୁଡି ଘଟଣାକୁ ନେଇ ମଧ୍ୟ NHRCଙ୍କ ଦ୍ୱାରସ୍ଥ ହୋଇଥିଲେ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ । ଗତ ଏପ୍ରିଲ 28 ତାରିଖ ଦିନ NHRC  ମାମଲା ଶୁଣାଣି କରି  ସୁରକ୍ଷିତ ଡ଼ଙ୍ଗା ଯାତ୍ରା ପାଇଁ ଉଚିତ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଥିଲେ

ସେପଟେ ଲଖନପୁର ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ଶନିବାର ସକାଳ ସୁଦ୍ଧା ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ସମସ୍ତ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଛି।  ଶୁକ୍ରବାର ଲଖନପୁର ବ୍ଲକ ଶରଧା ନିକଟ ମହାନଦୀରେ ଡଙ୍ଗା ବୁଡିଯାଇଥିଲା। ଡଙ୍ଗାରେ ପ୍ରାୟ ୫୦ ଜଣ ଲୋକ ଥିଲେ। ହେଲେ ଡଙ୍ଗାର କ୍ଷମତା ଏତେ ସଂଖ୍ୟକ ଯାତ୍ରୀ ନେବାର ନଥିଲା ବୋଲି କୁହାଯାଉଛି । ସମସ୍ତେ ବରଗଡ ବାଞ୍ଜିପାଲିକୁ ଯାଉଥିବାବେଳେ ଏଭଳି ଅଘଟଣ ଘଟିଥିଲା। ପ୍ରାୟ ୪୩ଜଣ ଲୋକଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଉଦ୍ଧାର କରିଥିଲେ।

Related Posts