ଲଖିମପୁର ଖେରୀ ହିଂସା ମାମଲା; ଆଶିଷ ମିଶ୍ରାଙ୍କ ସମେତ ୧୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ପୋଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରପ୍ରଦେଶ ଲଖିମପୁର ଖେରୀର ବହୁଚର୍ଚ୍ଚିତ ତିକୁନିଆ ହିଂସା ମାମଲାରେ ମଙ୍ଗଳବାର କୋର୍ଟରେ ଆଶିଷ ମିଶ୍ରାଙ୍କ ସମେତ ୧୪ଜଣ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ସେମାନଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ସମେତ ଅନେକ ଧାରା ଲଗାଯାଇଛି। ଏହି ମାମଲାରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ କୁମାର ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଏହି ହିଂସାରେ ୪ କୃଷକଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଗତକାଲି ଏହି ମାମଲାରେ କୋର୍ଟ ଆଶିଷ ମିଶ୍ରାଙ୍କ ସମେତ ଅନ୍ୟ ୧୩ ଅଭିଯୁକ୍ତଙ୍କର ଜାମିନ ଖାରଜ କରି ଦେଇଥିଲେ । ଏହି ଅଭିଯୁକ୍ତମାନେ କୋର୍ଟରେ ଆବେଦନ କରି କହିଥିଲେ କି, ସେମାନେ ଏହି ଘଟଣାରେ ସାମିଲ ନଥିଲେ, ଏଥିପାଇଁ ସେମାନେ ସମ୍ପୁର୍ଣ୍ଣ ନିର୍ଦୋଷ। ତେଣୁ ସେମାନଙ୍କୁ ଜାମିନ ଦିଆଯାଉ, କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଥିଲେ ।

ସୂଚନା ଅନୁସାରେ ଏଡିଜେ ଫାଷ୍ଟ ସୁଶୀଲ ଶ୍ରୀବାସ୍ତବ କୋର୍ଟ ଏହି ମାମଲାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଧାରା ୧୪୭,୧୪୮,୧୪୯,୩୨୬,୩୦,୩୦୨,୧୨୦ ଖ,୪୨୭, ଏବଂ ଧାରା ୧୭୭ ରେ ଦୋଷି କରିଛନ୍ତି । ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିଥିବା କୋର୍ଟ କହିଛନ୍ତି । ଏହାବାଦ୍ ଅଭିଯୁକ୍ତ ସୁମିତ ଜୟସ୍ୱାଲ ବିରୁଦ୍ଧରେ ୩/୨୫, ଆଶୀଷ ମିଶ୍ରା, ଅଙ୍କିତ ଦାସ, ଲତୀକ ବ ସତ୍ୟମ ଉପରେ ଧରା ୩୦ ଏବଂ ନନ୍ଦନ ସିଂ ଉପରେ ଧାରା ୫/୨୭ ଲାଗୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ, ୩ ଅକ୍ଟୋବର ୨୦୨୧ ରେ, କୃଷକମାନେ ନୂତନ କୃଷି ନିୟମକୁ ବିରୋଧ କରି ରାସ୍ତାରେ ଆନ୍ଦୋଳନ କରୁଥିଲେ। ଅଭିଯୋଗ ମୁତାବକ ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଆନ୍ଦୋଳନକାରି ଚାଷୀଙ୍କ ଉପରେ କାର୍ ମଡାଇ ଦେଇଥିଲେ। ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ହୋଇଥିଲା। ଏହି ହିଂସାରେ ୪ ଜଣ କୃଷକଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିଲା।

Related Posts