ମିଜୋରାମ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲ୍‌ଦୁହୋମା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ମିଜୋରାମ୍‌ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ‘ଜୋରମ୍‌ ପିପୁଲ୍‌ସ୍‌ ମୁଭ୍‌ମେଣ୍ଟ୍‌’ର (ଜେଡ୍‌ପିଏମ୍‌) ନେତା ଲାଲ୍‌ଦୁହୋମା ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ହରିବାବୁ କମ୍ଭମପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ମୁଖ୍ୟମନ୍ତ୍ରୀ ଭାବେ ଲାଲ୍‌ଦୁହୋମା ଶପଥ ଗ୍ରହଣ କରିବା ପରେ ମନ୍ତ୍ରୀଭାବେ ‘ଜେଡ୍‌ପିଏମ୍‌’ର ଆଉ ୧୧ଜଣ ନେତା ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟ ରାଜଭବନରେ ଆୟୋଜିତ କରାଯାଇଥିବା ଏହି ଶପଥ ଗ୍ରହଣ ଉତ୍ସବରେ ‘ମିଜୋ ନ୍ୟାସ୍‌ନାଲ୍‌ ଫ୍ରଣ୍ଟ୍‌’ର ନେତା ତଥା ବିଦାୟୀ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା ମଧ୍ୟ ଉପସ୍ଥିତ ଥିଲେ। ୪୦ ସଦସ୍ୟବିଶିଷ୍ଟ ବିଧାନସଭା ଥିବା ମିଜୋରାମ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୨ଜଣ ମନ୍ତ୍ରୀ ରହିପାରିବେ।

ବିଧାୟକ ଦଳର ନେତା ଲାଲ୍‌ଛନ୍ଦମା ରାଲ୍‌ତେଙ୍କ ସମେତ ‘ଏମ୍‌ଏନ୍‌ଏଫ୍‌’ର ସମସ୍ତ ବିଧାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଲଲ୍‌ଥନହୱଲା ମଧ୍ୟ ଏହି ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ‘ଜେଡ୍‌ପିଏମ୍‌’ ବିଧାୟକ ଦଳ ଲାଲ୍‌ଦୁହୋମାଙ୍କୁ ଦଳର ନେତା ଓ କେ. ସପ୍‌ଡଙ୍ଗାଙ୍କୁ ଉପନେତା ଭାବେ ନିର୍ବାଚିତ କରିଥି‌ଲା।

ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୭ ତାରିଖରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବା ମିଜୋରାମ ରାଜ୍ୟରେ ଭୋଟ୍‌ ଗଣନା ନିର୍ଦ୍ଧାରିତ ଦିନ ନ ହୋଇ ଗୋଟିଏ ଦିନ ବିଳମ୍ବରେ ହୋଇଥିଲା। ୪୦ ଆସନରୁ ୨୭ଟି ଆସନରେ ବିଜୟ ହୋଇ ‘ଜେଡ୍‌ପିଏମ୍‌’ ସରକାର ଗଠନ କରିବାକୁ ସମର୍ଥ ହୋଇଥିଲା। ୨୦୧୯ରେ ରାଜନୈତିକ ଦଳ ଭାବେ ପଞ୍ଜିକୃତ ହୋଇଥିବା ‘ଜେଡ୍‌ପିଏମ୍‌’ ୨୦୧୮ ନିର୍ବାଚନରେ ମାତ୍ର ୮ଟି ଆସନରେ ବିଜୟୀ ହୋଇଥିଲା।

Related Posts