ଚାଲିଯିବ ମହୁଆଙ୍କ ସାଂସଦ ପଦ!; ଆଜି ଲୋକସଭାରେ ଆଗତ ହେବ ଏଥିକ୍ସ କମିଟି ରିପୋର୍ଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ସଂସଦର ଏଥିକ୍ସ କମିଟି ରିପୋର୍ଟ ଶୁକ୍ରବାର ଲୋକସଭାରେ ଉପସ୍ଥାପନ କରାଯିବ । ମୋଇତ୍ରଙ୍କୁ ସଂସଦରୁ ବହିଷ୍କାର ପାଇଁ କମିଟି ସୁପାରିଶ କରିସାରିଛି । ଏହି ରିପୋର୍ଟ ସମ୍ପର୍କରେ ବିରୋଧୀ ମଧ୍ୟ ଭୋଟିଂ କରିବାକୁ ଦାବି କରିପାରନ୍ତି ।

ମହୁଆ ମୋଇତ୍ରଙ୍କ ବିରୋଧରେ ଏଥିକ୍ସ କମିଟି ରିପୋର୍ଟକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକସଭାରେ ଉପସ୍ଥାପନ କରିବେ । ଏହି ରିପୋର୍ଟ ପୂର୍ବରୁ ଡିସେମ୍ବର ୪ରେ ଲୋକସଭାର ଏଜେଣ୍ଡାରେ ତାଲିକାଭୁକ୍ତ ହୋଇଥିଲା | ଶୀତକାଳୀନ ଅଧିବେଶନ ପୂର୍ବରୁ ଗତ ସପ୍ତାହରେ ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ଟିଏମସି ନେତାମାନେ ମୋଇତ୍ରଙ୍କ‌ ସମ୍ପର୍କରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରିପୋର୍ଟ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ସେପଟେ ରିପୋର୍ଟର ଟ୍ୟାବଲିଂ ଯୋଗୁଁ ଗୃହରେ ହଙ୍ଗାମା ହେବା ସମ୍ଭାବନା ରହିଛି।

ସୁପ୍ରିମକୋର୍ଟର ଓକିଲ ଜୟ ଅନନ୍ତ ଦେହଦ୍ରାଏ ସିବିଆଇରେ ଅଭିଯୋଗ କରିଥିଲେ ଯେ ଟିଏମସି ସାଂସଦ ମହୁଆ ମଇତ୍ର ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଉଛନ୍ତି । ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ଅଭିଯୋଗର ତଦନ୍ତ ଦାବି କରି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଥିଲେ । ଦୁବେ ଅଭିଯୋଗ କରିଥିଲେ ଯେ ଆଦାନୀ ଗ୍ରୁପ୍ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା ପାଇଁ ମହୁଆ ମଇତ୍ର ତାଙ୍କ ସଂସଦରେ ଲଗ୍ ଇନ୍ ଆଇଡି ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କୁ ଦେଇଥିଲେ।

ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଇଥିବା ଅଭିଯୋଗକୁ ମହୁଆ ମିତ୍ର ଅସ୍ୱୀକାର କରିଥିଲେ ହେଁ ସେ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କୁ ସଂସଦର ଲଗ୍ ଇନ୍ ଆଇଡି ଦେଇଥିବା ମାନିଥିଲେ ।

Related Posts