ଆଜି ସନ୍ଧ୍ୟାରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବେ ଲାଲୁ ପ୍ରସାଦ ଯାଦବ ଏବଂ ନୀତୀଶ କୁମାର

ପାଟନା : ଆଜି ସନ୍ଧ୍ୟାରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ତେବେ ସୋନିଆଙ୍କୁ ଭେଟିବା ପୂର୍ବରୁ ଲାଲୁ ଶନିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ବର୍ଷିଛନ୍ତି।

ନୀତୀଶ ଏବଂ ଲାଲୁଙ୍କୁ ନେଇ ଶାହ ଗତକାଲି ‌ଯେଉଁ ଟିପ୍ପଣୀ ରଖିଥିଲେ ଲାଲୁ ଏନେଇ ତାଙ୍କୁ କଡ଼ା ଜବାବ ‌ଦେଇଛନ୍ତି।

ଲାଲୁ କହିଛନ୍ତି, ଶାହ ବିଚଳିତ ହୋଇଯାଇଛନ୍ତି। ୨୦୨୪ରେ ବିଜେପି ବିହାରରେ ମୂଳପୋଛ ହୋଇଯିବ। ଏବେ ଶାହ କେବଳ ବୁଲି ବୁଲି ଜଙ୍ଗଲରାଜ୍‌ କଥା କହୁଛନ୍ତି। ଗୁଜରାଟରେ ଥିବା ସମୟରେ ସେ କ’ଣ କରିଥିଲେ। ଗୁଜରାଟରେ ସେ ଥିବା ସମୟରେ ଜଙ୍ଗଲ ରାଜ୍‌ ଚାଲିଥିଲା। ଉଲ୍ଲେଖଯୋଗ୍ୟ, ଶାହ ଗତକାଲି ପୁର୍ନିଆରେ ନୀତୀଶ ଏବଂ ଲାଲୁଙ୍କ ବିରୋଧରେ ବର୍ଷିଥିଲେ। ଶାହ କହିଥିଲେ ନୀତୀଶ ଲାଲୁଙ୍କ କୋଳରେ ବସି ଦେଶର ପ୍ରଧାନମନ୍ତ୍ରୀ ହେବାପାଇଁ ସ୍ବପ୍ନ ଦେଖୁଛନ୍ତି। ନୀତୀଶ ବିଜେପିକୁ ପଛରୁ ଛୁରି ମାରିଛନ୍ତି ବୋଲି ଶାହ କହିଥିଲେ। ସେହିପରି ମହାମେଣ୍ଟ ଫେରିବାପରେ ବିହାରରେ ଜଙ୍ଗଲରାଜ୍‌ ଫେରିଛି ବୋଲି ଶାହ କହିଛନ୍ତି ।

Related Posts