ବାଲେଶ୍ୱରରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ୟାସ୍‌’ : IMD

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ‘ୟାସ୍‌’ ସ୍ଥଳଭାଗକୁ ଛୁଇଁବ। ବାତ୍ୟା ୟାସ୍ ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି, ଏବେ ୟାସ୍ ପାରାଦୀପରୁ ୫୦୦ କିମି ଦୂରରେ ରହିଥିବା ବେଳେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିମି ଭିତରେ ରହିଛି। ଆଜି ଭୀଷଣ ବାତ୍ୟାର ରୂପ ନେବ, କାଲି ଅତି ଭୀଷଣରେ ପରିଣତ ହେବ। ବାଲେଶ୍ୱର ଜିଲ୍ଲା ଦେଇ ଅତିକ୍ରମ କରିବା ସମ୍ଭାବନା ଅଧିକ ରହିଛି। ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୧୫୫ରୁ ୧୮୫ କିମି ମଧ୍ୟରେ ରହିବ। ଆଜି ଅପରାହ୍ନରୁ ଉପକୂଳ ଅଞ୍ଚଳରେ ୪୦/୫୦ କିମି ପବନ ହେବ। ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିବ ବୋଲି ଆକଳନ କରାଯାଉଛି।  ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର  ପୁଣି କହିଛନ୍ତି, ବାତ୍ୟା ଯୋଗୁ ଏବେ ସମୁଦ୍ରରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୮୫ କିମି ଭିତରେ ରହିଛି। ୨୫ ତାରିଖ ମଧ୍ୟରାତ୍ର ପରେ ପବନ ବଢ଼ିବ ଏବଂ ଏହା ଘଣ୍ଟା ପ୍ରତି ୮୦ କିମି ଛୁଇଁପାରେ। ୨୬ ତାରିଖ ସକାଳୁ ପବନର ବେଗ ବଢ଼ି ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି ହେବ। ଉପକୂଳ ଛୁଇଁଲା ବେଳକୁ ପବନ ବେଗ ଘଣ୍ଟାପ୍ରତି ସର୍ବାଧିକ ୧୫୫ରୁ ୧୮୫ କିମି ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୋମବାର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୩୦ କି.ମି ଦୂରରେ କେନ୍ଦ୍ରିଭୂତ ହୋଇଥିବା ଘୂର୍ଣ୍ଣିଝଡ “ୟଶ୍‌’ ଉତର-ଉତର ପଶ୍ଚିମ ଦିଗ ଆଡକୁ ମୁହାଁଇବ ଏବଂ ମେ ୨୬ ତାରିଖ ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ବାଲେଶ୍ୱର ଜିଲ୍ଲା ବାଲିଆପାଳ ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ପରିଚାଳିତ) ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।  ବିଶେଷ କରି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବାତ୍ୟା ‘ୟାସ’ର ପ୍ରଭାବ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ୫ ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ବାତ୍ୟା ପରବର୍ତ୍ତୀ ରିଲିଫ୍ କାର୍ଯ୍ୟ ତଦାରଖ ପାଇଁ ରାଜ୍ୟ ସରକାର ୫ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି। ସେହିପରି ଜିଲ୍ଲା ପୁଲିସ୍‌କୁ ପରାମର୍ଶ ଓ ମାର୍ଗଦର୍ଶନ ପାଇଁ ୫ ବରିଷ୍ଠ ଆଇପିଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି।

Related Posts