ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଚାଲିଥିବା ଏକ ବଡ଼ଧରଣର ବେଆଇନ ମହୁଲି ମଦ ରେକେଟ୍‌ ଉପରେ ଝାରସୁଗୁଡ଼ା ପୋଲିସ ପକ୍ଷରୁ ବ୍ୟାପକ ଚଢ଼ଉ କରାଯାଇଛି। ହୀରାକୁଦ ଜଳଭଣ୍ଡାର ପଛୁଆ ଅଞ୍ଚଳରେ ଚାଲୁଥିବା ଏହି ଅବୈଧ କାରବାରକୁ ପଣ୍ଡ କରିବା ସହ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଚଢ଼ଉ ବେଳେ ବିପୁଳ ପରିମାଣର ଦେଶୀ ମଦ, ମହୁଲ ପୋଚ ଓ ମଦ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଥିବା ବେଳେ ୧୭ଟି ବେଆଇନ ଚୁଲିକୁ ଭାଙ୍ଗି ନଷ୍ଟ କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ରେଙ୍ଗାଲି ଥାନା ଅନ୍ତର୍ଗତ ବଡ଼ଧରା ଗ୍ରାମର ଖଜୁରିଆପଡ଼ା ଅଞ୍ଚଳରେ ବ୍ୟାପକ ଭାବେ ବେଆଇନ ଦେଶୀ ମଦ ପ୍ରସ୍ତୁତ ଓ ଚୋରା ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ଝାରସୁଗୁଡ଼ା ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭୋର ସମୟରେ ଏକ ସ୍ପେଶାଲ ଅପରେସନ ଚାଲାଯାଇଥିଲା।

ଏହି ଅପରେସନରେ ଆଡିସନାଲ ଏସପି (IUCAW), ଆଡିସନାଲ ଏସପି (ମୁଖ୍ୟାଳୟ), ଡିଏସପି (IUCAW), ଲଖନପୁର ଆଇଆଇସି, ରେଙ୍ଗାଲି ଓଆଇସିଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ। ମହିଳା ପୋଲିସ କର୍ମଚାରୀଙ୍କୁ ମିଶାଇ ୩ ପ୍ଲାଟୁନ ଫୋର୍ସ ଚଢ଼ଉରେ ସାମିଲ ହୋଇଥିଲେ। ଲଖନପୁରର ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ-କମ୍-ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଏହି ଚଢ଼ଉ କରାଯାଇଥିଲା।

ହୀରାକୁଦ ଜଳଭଣ୍ଡାର ସଂଲଗ୍ନ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଅଭିଯୁକ୍ତମାନେ ଜଳପଥ କିମ୍ବା ଜଙ୍ଗଲ ରାସ୍ତା ଦେଇ ଖସି ନପାରନ୍ତି ସେଥିପାଇଁ ପୋଲିସ ଚାରିଆଡ଼ୁ ଘେରାବନ୍ଦୀ କରି କମ୍ବିଂ ଅପରେସନ କରିଥିଲା। ଚଢ଼ଉ ବେଳେ ପୋଲିସ ଅନେକ ବେଆଇନ ମଦ ରନ୍ଧା କେନ୍ଦ୍ରର ସନ୍ଧାନ ପାଇଥିଲା। ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ପ୍ରାୟ ୧୭ଟି ଚୁଲିକୁ ଘଟଣାସ୍ଥଳରେ ଭାଙ୍ଗି ଦିଆଯାଇଥିଲା।

ଚଢ଼ଉ ବେଳେ ପ୍ରାୟ ୮୭୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ୩୦ କ୍ୱିଣ୍ଟାଲରୁ ଅଧିକ ମହୁଲ ପୋଚ ଓ ୨୦ କ୍ୱିଣ୍ଟାଲରୁ ଅଧିକ ମହୁଲ ସାମଗ୍ରୀ ନଷ୍ଟ କରାଯାଇଥିଲା। ଏଥିସହ ଏକ ଚାରିଚକିଆ ଗାଡ଼ି, ୪ଟି ବାଇକ୍‌, ବିଭିନ୍ନ ପାତ୍ର, ଫର୍ନେସ୍‌ ଓ ମଦ ପ୍ରସ୍ତୁତି ସରଞ୍ଜାମ ମଧ୍ୟ ଜବତ କରାଯାଇଛି।

ଏହି ଘଟଣାରେ କୁଞ୍ଜ ବେହେରା (୨୮), ପ୍ରଫୁଲ୍ଲ ବେହେରା (୨୪), କାର୍ତ୍ତିକ ବେହେରା (୬୬), ଅକ୍ଷୟ କୁମାର ବେହେରା (୨୩), ଭରତ ବେହେରା (୪୭), ସଞ୍ଜୟ ବେହେରା (୪୫), ରୂପରାମ ବେହେରା (୫୭) ଏବଂ ଭୂମିସୁତା ବେହେରା (୪୫)ଙ୍କୁ ଗିରଫ କରାଯାଇଛି। ସମସ୍ତେ ବଡ଼ଧରା ଗ୍ରାମର ବୋଲି ପୋଲିସ କହିଛି।

ପୋଲିସ ରେକର୍ଡ ଅନୁଯାୟୀ, ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ କାର୍ତ୍ତିକ ବେହେରା, ଭରତ ବେହେରା, ସଞ୍ଜୟ ବେହେରା ଓ ରୂପରାମ ବେହେରାଙ୍କ ନାମରେ ପୂର୍ବରୁ ଅବକାରୀ ଏବଂ ଅନ୍ୟାନ୍ୟ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।
ଏହି ଘଟଣାରେ ରେଙ୍ଗାଲି ଥାନାରେ ୧୫୦/୨୬ରୁ ୧୫୬/୨୬ ପର୍ଯ୍ୟନ୍ତ ମୋଟ ୭ଟି ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ବିଏନଏସ୍‌ ଧାରା ୨୭୪/୨୭୫ ସହ ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା ୫୨(ଏ)(ଆଇ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇଛି।

ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର କହିଛନ୍ତି, “ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଚାଲୁଥିବା ବେଆଇନ ମଦ କାରବାର ବିରୋଧରେ ପୋଲିସର ଅଭିଯାନ ଆଗକୁ ମଧ୍ୟ ଜାରି ରହିବ। ଏହି ରାକେଟ୍‌ ସହ ଜଡିତ ମୁଖ୍ୟ ଫାଇନାନ୍ସର, ପରିବହନକାରୀ ଓ ଅନ୍ୟ ସଦସ୍ୟଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଚାଲିଛି। କୌଣସି ଅଭିଯୁକ୍ତଙ୍କୁ ଛାଡ଼ାଯିବ ନାହିଁ।”

Report by: Surendra Barik