ଦୁର୍ଗାପ୍ରସାଦକୁ ରାଜସ୍ୱ ମୌଜା ମାନ୍ୟତା ନମିଳିବାରୁ ଭୋଟ ବର୍ଜନ କଲେ ଅଞ୍ଚଳବାସୀ; ଖାଲି ଭୋଟ ବାକ୍ସ ନେଇ ଫେରିଲେ ପୋଲିଂ ପାର୍ଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟର ମତଦାନ ସରିଛି । ନିଜର ପସନ୍ଦର ପ୍ରାର୍ଥୀଙ୍କୁ ଭୋଟଦେବା ପାଇଁ ଭୋଟମାନେ ବୁଥମାନଙ୍କରେ ଭିଡ ଜମାଇଥିଲେ । ଏହା ମଧ୍ୟରେ ଅଞ୍ଚଳବାସୀଙ୍କ ସମ୍ମାନ ଓ ଭାବାବେଗ ସହିତ ଜଡ଼ିତ ଏହି ପ୍ରସଙ୍ଗରେ ପ୍ରଶାସନିକ ଉଦାସୀନତାର ଜବାବରେ ଭୋଟବର୍ଜନ କରିଛନ୍ତି ଅଞ୍ଚଳବାସୀ । ଗ୍ରାମର କେହି ଜଣେ ଭୋଟର ମତଦାନ କରିନଥିବାରୁ ଖାଲି ଭୋଟ ବାକ୍ସ ନେଇ ଫେରିଛନ୍ତି ପୋଲିଂ ପାର୍ଟି । ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଅପହରଣ, ରାଜନୈତିକ ହିଂସା, ବାଲାଟ ବାକ୍ସ ଲୁଟ ଭଳି ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଢ଼େଙ୍କାନାଳ ଜିଲ୍ଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ଦୁର୍ଗାପ୍ରସାଦ ଗ୍ରାମବାସୀଙ୍କ ଭୋଟବର୍ଜନ ପ୍ରଶାସନିକ ଅବହେଳାର କଡ଼ା ଜବାବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ କହିଛନ୍ତି । ସେପଟେ ଦୁଇଟି ୱାର୍ଡ ବିଶିଷ୍ଟ ଦୁର୍ଗାପ୍ରସାଦ ଗ୍ରାମର ୧୧ ନଂ ବୁଥରେ ୪୧୪ ଏବଂ ୧୨ ନଂ ବୁଥରେ ୪୨୪ ଭୋଟର ଅଛନ୍ତି ।

ବ୍ଲକର ସାମାଜିକ, ସାଂସ୍କୃତିକ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଏହି ଗ୍ରାମକୁ ରାଜସ୍ୱ ମୌଜା ମାନ୍ୟତା ଦେବା ଲାଗି ୨୦୦୯ ମସିହାରୁ ପ୍ରଶାସନିକ ପ୍ରତିଶୃତି ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ପ୍ରତିବାଦ ସ୍ୱରୂପ ଗତ ଜାନୁୟାରୀ ୨୮ ତାରିଖରେ ଗ୍ରାମବାସୀ ଭୋଟବର୍ଜନ କରିବା ଲାଗି ଚେତାବନୀ ଦେବାସହ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ନିର୍ବାଚନ ପୂର୍ବରୁ ଜିଲ୍ଲାପାଳ ଗ୍ରାମକୁ ଯାଇ ସେଠାକାର ଲୋକଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ସମାଧାନର ପନ୍ଥା ବାହାରିନଥିଲା ।

ଫଳରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଗ୍ରାମବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ହୋଇଥିବା ମତଦାନ କେନ୍ଦ୍ର ଆଗରେ ଟାୟାରଜାଳି ଧାରଣା ଦେବା ସହିତ ଭୋଟ ବର୍ଜନ କରିଥିଲେ । ଏ ସଂକ୍ରାନ୍ତରେ ଜିଲ୍ଲାପାଳ ସରୋଜ କୁମାର ସେଠୀ କହିଛନ୍ତି ଯେ ଦୁର୍ଗାପ୍ରସାଦକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ ଲାଗି କିଛି କାର୍ଯ୍ୟ ବାକି ରହିଛି । ଏଥିଲାଗି ସମୟ ଲାଗିବ । ସମସ୍ୟାର ସମାଧାନ ଲାଗି ଦୃଷ୍ଟି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଓଡ଼ିଶାରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts